ଝାଡ଼ାବାନ୍ତିରେ ୩୪ ଛାତ୍ରୀ ଅସୁସ୍ଥ

ସୁନ୍ଦରଗଡ଼/ଟେନସା/ବଣାଇ,୨୦।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅଧୀନ ସ୍ବୟମ୍ବା ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ନିବାସରେ ବାସିଖାଦ୍ୟ ଖାଇ ୩୪ଜଣ ଅନ୍ତେବାସିନୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ କେ. ବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ସମସ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରୀମାନଙ୍କ କହିବା ଅନୁସାରେ, ବୁଧବାର ପଖାଳ ଭାତ ଓ ଆଳୁ ଭଜା ଖାଇବା ପରେ ପେଟବଥା ଆରମ୍ଭ ହୋଇଥିଲା। ଏହାପରେ ଝାଡାବାନ୍ତି ହୋଇଥିଲା। ରାତିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ୨୨ଜଣ ଓ ପରେ ୩ଜଣଙ୍କୁ ବଲାଙ୍ଗ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଗୁରୁବାର ସକାଳେ ଅସୁସ୍ଥ ଅନ୍ୟ ଛାତ୍ରୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।