କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ ସହରରୁ ମାତ୍ର ୧୮ କିମି ଓ ୨୬ ନମ୍ବର ଜାତୀୟ ରାଜପଥରୁ ୫ କିମି ଦୂରରେ ରହିଥିବା ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହି କାରଣରୁ ଲୋକେ ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ପାନୀୟ ଜଳ ଭଳି ମୌଳିକା ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଗାଁରେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। କିନ୍ତୁ ସେଥିରୁ ଅଳ୍ପ ପାଣି ବାହାରିବା ପରେ ବନ୍ଦ ବନ୍ଦ ହେଇଯାଉଥିବାରୁ ଗ୍ରାମବାସୀ ଗାଁ ନିକଟସ୍ଥ ନାଳର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ବିଜୁଳି ନଥିବାରୁ ଅନ୍ଧାରରେ ଦିନ କଟୁଛି। ଗାଁରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନ ଥିବାବେଳେ ଶିକ୍ଷାର ଦୁରାବସ୍ଥା ମଧ୍ୟ ନକହିଲେ ଭଲ। ଏସବୁ ସମସ୍ୟା ନେଇ କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଗାଁ ଉପକଣ୍ଠ ମୋହନପଡ଼ାର ଜଣେ ବ୍ୟକ୍ତିଙ୍କ ନିଜସ୍ବ ଜମି ଥିବା ଯୋଗୁଁ ସେଠାରେ ରାସ୍ତା କରାଯାଇପାରୁ ନାହିଁ। ଖୁବ୍‌ ଶୀଘ୍ର ଗାଁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।