୩,୩୩,୯୪୩ ମାମଲାର ଫଇସଲା

କଟକ ଅଫିସ,୨୬ା୨: କଟକ ଜୁଡିସିଆଲ୍‌ ଏକାଡେମୀରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜିଲା ଜଜ୍‌ ସମ୍ମିଳନୀ-୨୦୨୨ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦୨୧ର ବାର୍ଷିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ଏହି ରିପୋର୍ଟରେ ହାଇକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି କରାଯିବା, ହାଇକୋର୍ଟରେ ୧ ଲକ୍ଷ ୫ ହଜାର ୩୩୪ଟି ମାମଲାର ଫଇସଲା, ଜିଲା କୋର୍ଟଗୁଡିକରେ ମୋଟ୍‌ ୨ଲକ୍ଷ ୨୮ ହଜାର ୬୦୯ ମାମଲାର ଫଇସଲା ହୋଇଥିବା ଦର୍ଶାଯାଇଛି। ସେହିପରି ରେକର୍ଡ ରୁମ୍‌ ଡିଜିଟାଇଜେଶନ କେନ୍ଦ୍ର ଉଦ୍‌ଘାଟନ, ଜିଲା କୋର୍ଟ ପାଇଁ ଡିଜିଟାଇଜେଶନ କେନ୍ଦ୍ର, ବିନା ପେପରରେ ମାମଲା ରୁଜୁ, ଭର୍ଚୁଆଲ୍‌ କୋର୍ଟ ରୁମ୍‌, ଆଇନସେବା ଭବନର ଉଦ୍‌ଘାଟନ, ମେଡିଏଶନ୍‌ ଏଣ୍ଡ୍‌ ଆର୍ବିଟେଶନ୍‌ କେନ୍ଦ୍ର, ହାଇକୋର୍ଟ ପାଇଁ ସ୍ଥାୟୀ ଲୋକ ଅଦାଲତ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ଜୁଡିସିଆଲ୍‌ କ୍ୟାଲେଣ୍ଡର୍‌ ଆଦି ସ୍ଥାନିତ ହୋଇଛି। ଏଥିରେ ୩୦ଟି ଜିଲାର ଜିଲା ଜଜ୍‌, ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌, ପବ୍ଲିକ ପ୍ରସିକ୍ୟୁଶନ ନିର୍ଦ୍ଦେଶକ, ଆଡ୍‌ଭୋକେଟ୍‌ ଜେନେରାଲ୍‌, ଆସିଷ୍ଟାଣ୍ଟ୍‌ ସଲିସିଟର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ, ହାଇକୋର୍ଟ ବାର୍‌ ଆସୋସିଏଶନ କର୍ମକର୍ତ୍ତାଙ୍କ ସମେତ ସମସ୍ତ ବିଚାରପତି ଉପସ୍ଥିତ ଥିଲେ।