ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ କରାଯାଇଥିବା ଏକ ଐତିହାସିକ ପରୀକ୍ଷଣର ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାଧ୍ୟାକର୍ଷଣ ଶକ୍ତି ନ ଥିବା ସ୍ଥାନରେ ମହୁମାଛିମାନେ କିଭଳି ବଞ୍ଚନ୍ତି ଏବଂ ମହୁଫେଣା ତିଆରି କରନ୍ତି, ତାହା ଜାଣିବା ପାଇଁ ନାସା ତା’ର ‘ଡିସ୍କଭରି’ ମହାକାଶ ଯାନ ଯୋଗେ ୧୯୮୪ରେ ‘ଏସ୍ଟିଏସ୍-୪୧ସି ମିଶନ’ରେ ୩,୩୦୧ ମହୁମାଛିଙ୍କୁ ମହାକାଶକୁ ପଠାଇଥିଲା।
ଏହି ୭ ଦିନିଆ ମିଶନର ଆରମ୍ଭ ମହୁମାଛିଙ୍କ ପାଇଁ ବହୁ କଷ୍ଟକର ଥିଲା। ପୃଥିବୀର ମାଧ୍ୟାକର୍ଷଣ ବଳରେ ଉଡ଼ିବା ଅଭ୍ୟାସ ଥିବାରୁ ମହାକାଶର ଓଜନହୀନ ପରିବେଶରେ ସେମାନେ ନିଜ ସନ୍ତୁଳନ ରଖିପାରି ନ ଥିଲେ। ଉଡ଼ିବାକୁ ଚେଷ୍ଟାକରିବା ମାତ୍ରେ ସେମାନେ କାନ୍ଥରେ ପିଟିହେଉଥିଲେ। କିନ୍ତୁ ଜୀବନ ବଞ୍ଚାଇବାର ଅଦ୍ଭୁତ କ୍ଷମତା ଯୋଗୁ ମାତ୍ର କେଇଟା ଦିନରେ ସେମାନେ ଏହି ନୂଆ ପରିବେଶ ସହ ଖାପଖୁଆଇ ନେଇଥିଲେ। ମିଶନର ୭ମ ଦିନ ବେଳକୁ ମହୁମାଛିମାନେ କାନ୍ଥରେ ପିଟି ନ ହୋଇ ମହାକାଶରେ ଅତି ସହଜରେ ଏବଂ ଦ୍ରୁତଗତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିବା ଆରମ୍ଭ କରିଦେଇଥିଲେ।
ମହୁମାଛିମାନେ କେବଳ ମହାକାଶରେ ଉଡ଼ିଲେ ନାହିଁ ବରଂ ନିଜ କାମ ମଧ୍ୟ ସଫଳତାର ସହ ସମ୍ପାଦନକଲେ। ସେମାନେ ସେହି ଓଜନହୀନ ବାକ୍ସ ଭିତରେ ପ୍ରାୟ ୨୦୦ ସେଣ୍ଟିମିଟର ଲମ୍ବର ଏକ ମହୁଫେଣା ପ୍ରସ୍ତୁତ କରିଥିଲେ। ଗବେଷକମାନେ ଦେଖିବାକୁ ପାଇଲେ ଯେ ମହାକାଶରେ ତିଆରି ହୋଇଥିବା ମହୁଫେଣାର କୋଠରିଗୁଡ଼ିକର କାନ୍ଥ ପୃଥିବୀ ତୁଳନାରେ ଅଧିକ ମୋଟା ଥିଲା। ସେହି ଫେଣା ମଧ୍ୟରେ ସେମାନେ ନିଜ ପାଇଁ ଦିଆଯାଇଥିବା ଚିନି ସିରପ ମଧ୍ୟ ସଞ୍ଚୟକରି ରଖିଥିଲେ। ଏହି ମିଶନରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା, ପ୍ରତିକୂଳ ପରିବେଶ ସତ୍ତ୍ୱେ ମହୁମାଛିଙ୍କର ମୃତ୍ୟୁ ହାର ବହୁ କମ୍ ଥିଲା। ଏପରିକି ସେମାନଙ୍କ ରାଣୀ ମହୁମାଛି ପ୍ରାୟ ୩୫ଟି ଅଣ୍ଡା ମଧ୍ୟ ଦେଇଥିଲା। ନାସାର ଏହି ସଫଳ ପରୀକ୍ଷଣ ପ୍ରମାଣ କରିଛି ଯେ ପୃଥିବୀର କ୍ଷୁଦ୍ର ଜୀବମାନେ ମଧ୍ୟ ଯେକୌଣସି ପରିସ୍ଥିତିରେ ନିଜକୁ ବଦଳାଇବାର ଅସୀମ କ୍ଷମତା ରଖନ୍ତି। ଅପରପକ୍ଷେ ପୃଥିବୀକୁ ଫେରିବା ପରେ ସେହି ମହୁଫେଣାରେ ଥିବା ଅଣ୍ଡାଗୁଡ଼ିକରୁ ଛୁଆ ବାହାରି ନ ଥିଲେ (ଅଣ୍ଡା ଫୁଟି ନ ଥିଲା)। ଏହାର ପ୍ରକୃତ କାରଣ ଜଣାପଡ଼ି ନ ଥିଲା।