ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ ବିରାଟ ଶୋଭାଯାତ୍ରା, ବିକ୍ଷୋଭ ସମାବେଶ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ପାଟଣା ବ୍ଲକ୍ ମୁଖ୍ୟାଳୟସ୍ଥ ଆନନ୍ଦେଶ୍ୱର ମନ୍ଦିର ଠାରୁ ଏକ ବିରାଟ ରାଲିରେ ବିଜେଡ଼ି ମହିଳା କର୍ମୀମାନେ ବାହାରି “ମୋହନ ସରକାର ଡାଉନ୍ ଡାଉନ୍”, “ନବୀନ ପଟ୍ଟନାୟକ ଜିନ୍ଦାବାଦ”, “୩୩ ପ୍ରତିଶତ ମହିଳା ସଂରକ୍ଷଣ ଆମର ଦାବି”, “କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଅ”, “ଜିତୁ ମୁଣ୍ଡାଙ୍କୁ ନ୍ୟାୟ ପ୍ରଦାନ କର” ଆଦି ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ବଜାର ପରିକ୍ରମା କରିଥିଲେ।
ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପାଟଣା ବ୍ଲକର ୮ଟି ପଞ୍ଚାୟତରେ ଏପ୍ରିଲ ମାସରେ ଘଟିଥିବା କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଏହାପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ରାଲି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।
ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶରେ ବିଜେଡ଼ି ନେତ୍ରୀମାନେ କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର ବିରୋଧରେ ବର୍ଷିଥିଲେ। ସେମାନେ ୨୦୨୩ ମସିହାରେ ପାରିତ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର ସରକାର ଶୀଘ୍ର ଲାଗୁ କରିବାକୁ ଦାବି କରିଥିଲେ।
ପରେ ପାଟଣା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହିଳା ନେତ୍ରୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ବିଜେଡ଼ି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ କେନ୍ଦୁଝର ପୌରାଧ୍ୟକ୍ଷା ମୀନା ମାଝୀ, ବରିଷ୍ଠ ବିଜେଡ଼ି ନେତା ସତ୍ୟବ୍ରତ ନାଏକ, ଜିଲା ବିଜେଡ଼ି ଉପସଭାପତି ତଥା ଆଇନଜୀବୀ ରାହାସବିହାରୀ ପୃଷ୍ଟି, ପାଟଣା ବ୍ଲକ୍ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ୍ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ସାହୁ, ୨୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ୨୨ ନମ୍ବର ଜୋନ୍ର ସୌଭାଗ୍ୟମଞ୍ଜରୀ ନାୟକ, ୩୦ ନମ୍ବର ଜୋନ୍ର ଚମ୍ପାବତୀ ଟୁଡୁ, ପୂର୍ବତନ ପାଟଣା ବ୍ଲକ୍ ଅଧ୍ୟକ୍ଷା ଶୁକାନ୍ତି ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷା ପାର୍ବତୀ ଦେହୁରୀ, ମହିଳା ନେତ୍ରୀ ଧରିତ୍ରୀ ମହାନ୍ତ, ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ନିରଞ୍ଜନ ତ୍ରିପାଠୀ, ଶତ୍ରୁଘ୍ନ ସିଂହ, ମହେନ୍ଦ୍ର ସାହୁ, ୨୯ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ୧୮ ନମ୍ବର ଜୋନ୍ର ରାଧାକାନ୍ତ ନାଏକ, ବରିଷ୍ଠ ନେତା ଅଜୟ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ସୁମିତ କୁମାର ପତି, ଶ୍ରୀତମ ପଣ୍ଡା, ସନ୍ତୋଷ ତ୍ରିପାଠୀଙ୍କ ସହ ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ।
Dharitri – Odisha’s No.1 Odia Daily