୩୨୧୦ କୋଟିର ଓଏମ୍‌ବିଏଡିସି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଜଷ୍ଟିସ ଏକ.କେ. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଭିଡିଓକନଫରେନ୍ସ ଜରିଆରେ ଅନୁଷ୍ଠିତ ଓଭରସାଇଟି ଅଥରଟି ବୈଠକରେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି)ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ୩୨୧୦ କୋଟି ଟଙ୍କାର ୧୫ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେଥିରୁ ସୁନ୍ଦରଗଡ ଜିଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୫୮୫.୧୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲାର ୧୩ ବ୍ଲକରେ ଥିବା ୧୦୫୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୧୫୩୧.୩୯ କୋଟି ଟଙ୍କାର ମୋଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ସେହିପିର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ଜିଲାରେ ଦୀର୍ଘସ୍ଥାୟୀ ଜୀବିକା ସକାଶେ ୮୨.୨୯ କୋଟି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର ଲବଂ ଢେଙ୍କାନାଳ ଜିଲାରେ ହସ୍ତଶିଳ୍ପ ଜରିଆରେ ଜୀବିକା ସୃଷ୍ଟି ପାଇଁ ୩୫.୧୪ କୋଟି, ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତୀକରଣ ସକାଶେ ୪୭.୨୫ କୋଟି, କେନ୍ଦୁଝର ଇଞ୍ଜିନିୟରିଂ କଲେଜର ଭିତ୍ତିଭୁମି ବିକାଶ ପାଇଁ ୩୩.୩୯ କୋଟି, ଓଏମବିଏଡିସିରେ ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକରେ ସେଣ୍ଟର ଅଫ ଏକ୍ସିଲେନ୍ସି ଖୋଲିବା ପାଇଁ ୧୨୩.୪୫ କୋଟି ର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିସହିତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଓଏମବିଏଡିସି ଦ୍ୱାରା ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ଜଷ୍ଟିସ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିଲେ। ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରପାଠୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଝଛନ୍ତି।