ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଚାକିରିରୁ ଅବସର ନେଇଥିବା ଅଧ୍ୟାପିକାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଧ୍ୟାପିକାଙ୍କ ସ୍ବାମୀ ଆଇନଜୀବି ଏ. ସୋମେଶ୍ୱର ରାଓ ପାତ୍ର ଏବଂ ପୁଅ ସ୍ବରାଜ ପାତ୍ର ଉପସ୍ଥିତ ଥିଲେ।
ଅଧ୍ୟାପିକା ଦୀର୍ଘ ୩୨ ବର୍ଷ ଧରି ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବେ ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣର ସହିତ ଶିକ୍ଷାଦାନ କରିଆସିଛନ୍ତି। ତାଙ୍କର ଦୀର୍ଘ ଶିକ୍ଷାଦାନ ଜୀବନରେ ଅନେକ ଛାତ୍ରୀଛାତ୍ରଙ୍କୁ ଜ୍ଞାନ ଓ ମାର୍ଗଦର୍ଶନ ପ୍ରଦାନ କରିବା ସହ କଲେଜର ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ସ୍ମରଣୀୟ ବୋଲି କଲେଜ ଅଧ୍ୟକ୍ଷ କହିଥିଲେ। ୬୦ ବର୍ଷ ବୟସରେ ସେ ତାଙ୍କର ସୁଦୀର୍ଘ ସେବାରୁ ସେବାନିବୃତ୍ତ ହୋଇଛନ୍ତି। ଏହି ବିଦାୟ ଅବସରରେ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଅବସରପ୍ରାପ୍ତ ଅଧ୍ୟାପିକାଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଅବଶିଷ୍ଟ ଜୀବନ ସୁଖମୟ, ଶାନ୍ତିପୂର୍ଣ୍ଣ, ନିରାମୟ, ଦୀର୍ଘାୟୁ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ।