୩୨ଲକ୍ଷର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୩।୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଅଣାଯାଇ ଏଠାରେ ବିକ୍ରି କରାଯାଉଛି। ଏହି କାରବାରରେ ଯୁବପିଢିଙ୍କୁ ସାମିଲ କରାଯାଉଛି। ସୋମବାର ଖୋର୍ଦ୍ଧା ଟାଉନ ଥାନା ଅଧୀନ ଲୋକେଶ୍ୱର ମନ୍ଦିର ନିକଟରେ ଅବକାରୀ ପୋଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପଲାହାଟର ହରପ୍ରସାଦ ସାହୁ(୨୪)। ତାଙ୍କ ନିକଟରୁ ୩୨୦ଗ୍ରାମ ବ୍ରାଉନସୁଗାର, ୯ଲକ୍ଷ ୨୦ହଜାର ଟଙ୍କା, ଗୋଟିଏ ବାଇକ୍‌ ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ କହିଛନ୍ତି। ଏନେଇ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ଅବକାରୀ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ହରପ୍ରସାଦ ଲୋକେଶ୍ୱର ମନ୍ଦିର ନିକଟରେ ବାଇକ୍‌ରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଅବକାରୀ ପୋଲିସକୁ ଦେଖି ବାଇକ୍‌ ଛାଡି ଦୌଡିବାକୁ ଆରମ୍ଭ କରିଥିଲେ। ପାଟ୍ରୋଲିଂ ଟିମ୍‌ ତାଙ୍କୁ ଗୋଡ଼ାଇ କାବୁ କରିଥିଲା। ତେବେ ଅଭିଯୁକ୍ତ ବ୍ରାଉନସୁଗାର କେଉଁଠାରୁ ଆଣିଥିଲେ। ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତିି ରହିଛି ତାହାର ତଦନ୍ତ ଚାରି ରହିଛି ବୋଲି ଅବକାରୀ ଇନ୍ସପେକ୍ଟର ସାହୁ କହିଛନ୍ତି।
ପ୍ରକାଶ ଯେ, ଆଦର୍ଶ ଥାନା ପୋଲିସ ଗତ ବର୍ଷ ୪.୫କୋଟିର ବ୍ରାଉନସୁଗାର ଜବତ କରିଥିଲା। ନିକଟରେ ଗୁରୁଜଙ୍ଗ ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ପେଶାଦାର ବ୍ରାଉନସୁଗାର ବେପାରୀ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ଜେଲ ଭିତରେ ରହି ଅପରାଧୀମାନେ ଏହି କାରବାରକୁ ଅପରେଟିଂ କରୁଛନ୍ତି। କେଉଁଠି ମାଲ ଆସିବ, କାହାଠୁ ଆସିବ, କେଉଁମାନଙ୍କ ପାଖକୁ ଯିବ, ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଅନ୍ୟପଟେ ପାଇକବୀରଙ୍କ ମାଟି ଭାବେ ପରିଚିତ ଖୋର୍ଦ୍ଧା ଏବେ ବ୍ରାଉନସୁଗାର କାରବାର ଲାଗି ଏହାର ଗାରିମା ନଷ୍ଟ ହେବାକୁ ବସିଛି ବୋଲି କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଏଥିପ୍ରତି ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ବ୍ରାଉନସୁଗାର କାରବାର ରୋକିବା ଲାଗି ଗୁରୁତ୍ୱ ଦିଆଯାଉଛି। ଏନେଇ ଆଗକୁ ସ୍ବତନ୍ତ୍ର ଡ୍ରାଇଭ କରାଯିବ। ଜେଲ ଫେରନ୍ତାଙ୍କ ଉପରେ ନଜର ରଖାଯିବ। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।