ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍‌ସି କର୍ମଚାରୀ ଠିକ୍‌ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ ଭୁବନେଶ୍ୱରର ୩୭ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଡ୍ରେନ୍‌ର ନିର୍ମାଣ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଭିତରେ ଆସିଗଲା ମୌସୁମୀ। କଟକଣା କୋହଳ ହେବାବେଳକୁ ଆରମ୍ଭ ହୋଇଯାଇଛି ବର୍ଷା। ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ୍‌ ନିର୍ମାଣ, ମରାମତି ଓ ପୁନରୁଦ୍ଧାର କାମ ଚାଲିଛି। କାମରେ କରୋନା ଗାଇଡ୍‌ଲାଇନ୍‌ ଓ ବର୍ଷା ସମସ୍ୟା ସୃଷ୍ଟି କରୁଛି। ଧିମାଗତିରେ କାର୍ଯ୍ୟ ଚାଲିଥିବାବେଳେ ନୂଆ କାମ ସମ୍ପୂର୍ଣ୍ଣ ହେବା ଭଳି ଦେଖାଯାଉନି। ଫଳରେ ଚଳିତ ବର୍ଷାରେ ଜଳବନ୍ଦୀ ସମସ୍ୟା ହଟିବନି। ପୁଣି ଯଦି ଚାଲିଥିବା କାମ ନିମ୍ନମାନର ହେବ ଓ କାମ ସରିବା ପରେ ନିର୍ମାଣ ଆବର୍ଜନାକୁ ସଫା କରା ନ ଯିବ ତେବେ ସ୍ଥିତି ଆହୁରି ବିଗିଡି ଯିବ। ସହରବାସୀ ଆହୁରି ନାନା ହଟହଟାର ସମ୍ମୁଖୀନ ହେବେ ବୋଲି ବର୍ତ୍ତମାନର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ପକ୍ଷରୁ ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ ବଡ଼ ପମ୍ପ ସେଟ୍‌କୁ ସେସବୁ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ଏହାବ୍ୟତୀତ କିଛି ସମ୍ବେଦନଶୀଳ ସ୍ଥାନରେ ଡ୍ରେନ୍‌ ନିର୍ମାଣ ଜାରି ରହିଛି। ତଥାପି ଏବର୍ଷ ଭୁବନେଶ୍ୱରବାସୀଙ୍କୁ କିଛି ପରିମାଣରେ ଜଳବନ୍ଦୀର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଡ୍ରେନେଜ୍‌ ବିଭାଗର ମୁଖ୍ୟ ଇଞ୍ଜିନିୟର ପ୍ରଦୀପ ସାଗର ଦୂରିଆ କହିଛନ୍ତି। ସହରରେ ମୋଟ ୨୧୦ ନୂଆ ଡ୍ରେନ୍‌ ପାଇଁ ଟେଣ୍ଡର ସରି କାମ ଆରମ୍ଭ ହୋଇଛି। ବର୍ଷା ଓ କରୋନା କଟକଣାରେ କାମ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଯଦି ଡ୍ରେନ୍‌ କାମ ଯେପରି ଭଲ ହେବ ତାହାର ତଦାରଖ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆସନ୍ତାବର୍ଷକୁ ବିଏମ୍‌ସି ତା’ର ସବୁ କାମ ସାରିଦେଇଥିବ ଓ ଏହାପରେ ହିଁ ସହରରେ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ବୋଲି ଦୁରିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବର୍ଷା ଜଳ ନିଷ୍କାସନ ଭୁବନେଶ୍ୱର ପାଇଁ ବଡ଼ ସମସ୍ୟା ପାଲଟିଛି। ପ୍ରତିବର୍ଷ ଜୋର୍‌ରେ ବର୍ଷା ହେଲେ ରାଜଧାନୀ ରାସ୍ତାଠାରୁ କଲୋନୀ ଓ ସହରର ତଳି ଅଞ୍ଚଳ ଜଳବନ୍ଦୀ ହୋଇ ରହୁଛି। ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ଜିଜିପି କଲୋନୀ, ପୁରୁଣା ଭୁବନେଶ୍ୱର, ଜନପଥ, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ସତ୍ୟ ବିହାର, ସାଲିଆସାହି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଆଦି ପ୍ରମୁଖ ଅଞ୍ଚଳରେ ଲୋକେ ନାନା ହଟହଟା ହୋଇଥାନ୍ତି। ଏହି ସମସ୍ୟା ଦୂର ପାଇଁ ବିଏମ୍‌ସିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୧୦୦୦ କୋଟି ଟଙ୍କା ମିଳିଛି। ଏହି ଟଙ୍କାରେ ଗତବର୍ଷଠାରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।