ଗୁଡ଼ାରିରେ ନବୋଦୟ ପ୍ରବେଶିକା ପରୀକ୍ଷା ସମ୍ପନ୍ନ: ୨୬ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତା ପ୍ରକଟ

ଗୁଡ଼ାରି,୨୮।୧୧(ପ୍ରମୋଦ କୁମାର ପତି ): ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମଲେଖା ନିମନ୍ତେ ଶନିବାର ଗୁଡ଼ାରି ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ମୋଟ ୩୪୩ ଜଣ ପଞ୍ଜୀକୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ଅନୁପସ୍ଥିତ ରହିଥିଲେ।

ସ୍ଥାନୀୟ ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ମୋଟ ୨୧୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୭ ଜଣ ଅନୁପସ୍ଥିତ ଥିଲେ। ଏହି କେନ୍ଦ୍ରରେ ଇନ୍‌ଚାର୍ଜ ପ୍ରଧାନଶିକ୍ଷୟିତ୍ରୀ ଡି. ସନ୍ତୋଷୀ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଉପସ୍ଥିତ ରହି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ। ସେହିପରି ସାନହୁମା ଗ୍ରାମପଞ୍ଚାୟତର ଲୋକନାଥପୁର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ହାଇସ୍କୁଲ କେନ୍ଦ୍ରରେ ୧୨୭ ଜଣଙ୍କ ମଧ୍ୟରୁ ୧୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯ ଜଣ ଅନୁପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ତୁଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଗୁଡ଼ା ରୁପମାଝୀ ଉପସ୍ଥିତ ରହି ତଦାରଖ କରିଥିଲେ।

ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା। ଉଭୟ କେନ୍ଦ୍ରରେ ଥେରୁବାଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୁଡ଼ାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପକ୍ଷରେ, ବ୍ୟାପକ ସଚେତନତା ସତ୍ତ୍ୱେ କେଉଁ ପରିସ୍ଥିତିରେ ୨୬ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରୁ ବଞ୍ଚିତ ହେଲେ, ତାହାର କାରଣ ଖୋଜିବା ପାଇଁ ସ୍ଥାନୀୟ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଜୀବନର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରୁ ଏତେ ସଂଖ୍ୟକ ପିଲା ବଞ୍ଚିତ ହେବା ଘଟଣାକୁ ଅନେକ ଅବସରପ୍ରାପ୍ତ ଶିକ୍ଷକ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିପ୍ରତି ଶିକ୍ଷା ବିଭାଗ ଅଧିକ ସଜାଗ ରହିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share