ଦ୍ୱିତୀୟ ଦିନରେ ଟିକା ନେଲେ ୩୦,୧୬୧

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ସୁରୁଖୁରୁରେ ଚାଲିଛି। ଇତିମଧ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଥିବାବେଳେ ସୋମବାର ଦ୍ୱିତୀୟ ଦିନରେ ୩୮୦ ସେସନରେ ପ୍ରାୟ ୩୦,୧୬୧ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି। ମୋଟ ୩୧,୯୦୨ଜଣଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲାବେଳେ ୯୫ ପ୍ରତିଶତ ଟିକା ନେଇଛନ୍ତି। ତେବେ ଟିକା ନେବାପରେ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଖୁବ୍‌ଶୀଘ୍ର ସମସ୍ତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟିକାକରଣ ପାଇଁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ। ମଙ୍ଗଳବାର ଓଡ଼ିଶାରେ ‘କୋଭିଶିଲ୍ଡ’ ଟିକାର ୩,୩୪,୫୦୦ ଡୋଜ୍‌ ପହଞ୍ଚତ୍ବ। ତେଣୁ ସମସ୍ତ ପଞ୍ଜୀକୃତ ହିତାଧିକାରୀଙ୍କୁ ଟିକାକରଣ ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି। ଏହା ଏକ ସ୍ବେଚ୍ଛାକୃତ ଟିକାକରଣ କାର୍ଯ୍ୟକ୍ରମ। ଯେଉଁମାନେ ଏହି ଟିକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ସେମାନେ ମାଗଣା କୋଭିଡ୍‌ ଟିକା ନେବାର ସୁଯୋଗ ପାଇବେ ନାହିଁ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ସୋମବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧,୬୯୮ ସେସନରେ ଟିକାକରଣ ହେବ। ଏଥିରେ ୧ଲକ୍ଷ ୭୫ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ କେଉଁଦିନ କେତୋଟି ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରିଛି। ୧୯ ତାରିଖରେ ୧୯୨ ସେସନରେ ଟିକାକରଣ ହେବାକୁ ଥିବାବେଳେ ୨୦ରେ ୯୨ଟି, ୨୧ରେ ୪୩୬ଟି, ୨୨ରେ ୧୪୧ଟି, ୨୩ରେ ୧୭୮ଟି ଓ ୨୫ରେ ୨୭୯ଟି ସେସନରେ ଟିକା ପ୍ରଦାନ କରାଯିବ। ଯେଉଁମାନେ ଟିକା ନେଇଛନ୍ତି ସେମାନେ ୨୮ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବେ। ଏଥିପାଇଁ ପର୍ଯ୍ୟପ୍ତ ଟିକା ମହଜୁଦ ରହିଛି। ଦ୍ୱିତୀୟ ଡୋଜ୍‌ର ଦୁଇଦିନ ପୂର୍ବରୁ ଏ ସଂକ୍ରାନ୍ତରେ ହିତାଧିକାରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ଦିନରେ ୧୩ହଜାର ୮୯୦ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା।
ଅପରପକ୍ଷରେ ରାଜସ୍ବ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀ ଟିକାକରଣ ପାଇଁ ତାଲିକାଭୁକ୍ତ ହେବା ନେଇ ସୋମବାର ସମସ୍ତ ଜିଲା ସହିତ ଭିଡିଓ କନ୍‌ଫରରେନ୍ସିଂରେ ବୈଠକ ଅନୁଷ୍ଠିତ ହୋଇଥିଲା।