ବାଦ୍‌ ପଡ଼ିବ ୩ ହଜାର ଏଫ୍‌ପିଏସ୍‌ କାଉଣ୍ଟର

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶ୍ରମିକମାନେ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେହି ଲୋକମାନେ କିପରି ଅନ୍ୟ ରାଜ୍ୟରେ ନିଜର ରାଶନ ପାଇପାରିବେ ସେନେଇ କେନ୍ଦ୍ର ସରକାର ‘ୱାନ୍‌ ନେଶନ ୱାନ୍‌ ରାଶନ’ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଥିଲେ। ୨୦୧୯ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ହାତଗଣତି କେତୋଟି ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ତାହା ଗରିବ ଲୋକଙ୍କୁ ରାଶନ ଯୋଗାଇବାରେ ସହାୟକ ହେଉନାହିଁ। ଫଳରେ କରୋନା ମହାମାରୀ ପାଇଁ ଜୀବିକା ହରାଇଥିବା ଲୋକମାନେ ଅନ୍ୟ ରାଜ୍ୟରେ କିମ୍ବା ନିଜ ରାଜ୍ୟର ଅନ୍ୟ ଜିଲାରେ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୁଲାଇ ୩୧ ସୁଦ୍ଧା ସମସ୍ତ ରାଜ୍ୟ ୱାନ୍‌ ନେଶନ, ୱାନ୍‌ ରାଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ଜିଲାରେ ୱାନ୍‌ ନେଶନ ୱାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ। ୨୦୧୯ ସେପ୍ଟେମ୍ବରରୁ ବିଏମ୍‌ସି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ୯୦ ହଜାର ରାଶନ କାର୍ଡଧାରୀଙ୍କୁ ଏଥିରେ ସାମିଲ କରାଯାଇଛି। ରାଜ୍ୟ ବାହାରେ ବିଶେଷକରି ଡାମନ୍‌ ଏବଂ ଡିୟୁରେ ୫୦୦ ଜଣ ରାଶନ ନେଇଥିବା ଜଣାପଡ଼ିଛି। ବିହାର ଓ ଅନ୍ୟ ରାଜ୍ୟର କିଛି ହିତାଧିକାରୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ମଧ୍ୟ ରାଶନ ନେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହେବାର ୨ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ରାଜ୍ୟର ଅନ୍ୟ କୌଣସି ଜିଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇନାହିଁ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ରାଶନ ଯୋଗାଇ ଦେବାକୁ ୧୨ ହଜାର ୩୦୦ ଫେୟାର ପ୍ରାଇସ୍‌ ଶପ(ଏଫ୍‌ପିଏସ୍‌) କାଉଣ୍ଟର ରହିଛି। ସେଥିରୁ କୋରାପୁଟ, ମାଲକାନଗିରି, କନ୍ଧମାଳ, ମୟୂରଭଞ୍ଜ ଭଳି ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ୩୦୦ ପିଡିଏସ୍‌ କାଉଣ୍ଟରରେ ଇଣ୍ଟରନେଟ୍‌ ବ୍ୟବସ୍ଥା ନାହିଁ। ସେ ସବୁକୁ ୱାନ୍‌ ନେଶନ ୱାନ୍‌ ରାଶନରେ ସାମିଲ କରାଯାଇପାରିବ ନାହିଁ। ସେହିପରି ସ୍ବଳ୍ପ ନେଟ୍‌ୱର୍କ ଥିବା ପ୍ରାୟ ୩ ହଜାର ଦୋକାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିବା ଆଶଙ୍କା ରହିଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥାରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ। ଏଫ୍‌ପିଏସ୍‌ରେ ଶତ ପ୍ରତିଶତ ଇଣ୍ଟରନେଟ ସୁବିଧା ନ ଥିଲେ ଆଧାରକାର୍ଡ ଲିଙ୍କ୍‌କୁ ଦର୍ଶାଇବ ନାହିଁ। ଫଳରେ ହିତାଧିକାରୀ ସେହି କାଉଣ୍ଟରରୁ ରାଶନ ନେଇପାରିବେ ନାହିଁ। ଇଣ୍ଟରନେଟ ସୁବିଧା ଉପଲବ୍ଧ ଥିବା କାଉଣ୍ଟରଗୁଡ଼ିକୁ ଜୁଲାଇ ଶେଷ ସୁଦ୍ଧା ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥାରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ଏହି ସୁବିଧା ସମ୍ଭବ ହେବ ନାହିଁ ସେଠାରେ ଉକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଇଣ୍ଟରନେଟ ନ ଥିବା କାଉଣ୍ଟରକୁ ସାମିଲ କଲେ ରାଶନ ଜାଲିଆତି ହୋଇପାରେ। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟକୁ ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ ସୁବିଧା ନ ଆସିବା ଯାଏ ହିତାଧିକାରୀଙ୍କୁ ଅଫ୍‌ଲାଇନରେ ଚାଉଳ ଯୋଗାଇ ଦିଆଯିବ। ଆସନ୍ତା ଜୁଲାଇ ୩୧ ସୁଦ୍ଧା ୯ ହଜାର ପିଡିଏସ୍‌ କାଉଣ୍ଟରକୁ ସାମିଲ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।