୧୯ ଘଣ୍ଟାରେ ୩୦୦ କି.ମି. ସାଇକେଲ ଯାତ୍ରା ଲକ୍ଷ୍ୟ

ରାସୋଳ, ୭।୧୧(ଡି.ଏନ୍‌.ଏ.):ଭୁବନେଶ୍ୱର ସାଇକେଲ ଏବଂ ଆଡ୍‌ଭେଞ୍ଚର କ୍ଲବ ପକ୍ଷରୁ ଏକ ଦୁଃସାହସିକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୩୭ ଜଣିଆ ଅଭିଯାତ୍ରୀ ଦଳ ୧୯ ଘଣ୍ଟାରେ ୩୦୦ କିଲୋମିଟର ପଥ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆୟକର କମିଶନର ସରୋଜ ମହାପାତ୍ର, ଯୁବ ଉଦ୍ୟୋଗୀ ମନୋଜ ପୃଷ୍ଟି, ପ୍ରଶାସନିକ ଅଧିକାରୀ ସନ୍ତୋଷୀ ସାହୁ, କ୍ରିକେଟର ଜ୍ୟୋତିର୍ମୟୀ ବିଶ୍ୱାଳ ଏହାର ନେତୃତ୍ୱରେ ନେଇଥିଲେ। ଉକ୍ତ ସାଇକେଲ ଅଭିଯାତ୍ରୀ ଦଳର ସଦସ୍ୟମାନେ ରବିବାର ଭୋର୍‌ ୬ଟାରୁ ଭୁବନେଶ୍ୱରରୁ ବାହାରି ଆଠଗଡ଼ ଦେଇ ରାସୋଳରେ ପହଞ୍ଚତ୍ଥିଲେ। ସେଠାରୁ ହିନ୍ଦୋଳ ଦେଇ ନରସିଂହପୁର ଯାଇଥିଲେ। ଏହାପରେ ବଡ଼ମ୍ବା-ଆଠଗଡ଼ ରାସ୍ତାରେ ପୁନର୍ବାର ଭୁବନେଶ୍ୱର ଅଭିମୁଖେ ଫେରିଛନ୍ତି।
ଭୁବନେଶ୍ୱର ସାଇକେଲ ଏବଂ ଆଡ୍‌ଭେଞ୍ଚର କ୍ଲବ ପକ୍ଷରୁ ୨୦୧୪ରୁ ଏଭଳି ସାଇକେଲ ଯାତ୍ରା କରାଯାଉଛି। ଏହି ଦଳ ଅତୀତରେ ଭୁଟାନ, କାଠମାଣ୍ଡୁ ବିଶାଖାପାଟଣାକୁ ସାଇକେଲ ଯାତ୍ରା କରିଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଣ୍ଡା କୁହନ୍ତି, ସାଇକେଲ ଚାଳନା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ। ଦୈନିକ ସାଇକେଲ ଚଳାଇବା ଦ୍ୱାରା ରୋଗରୁ ସୁରକ୍ଷା ମିଳିଥାଏ। ଆଗାମୀ ଦିନରେ ୨୦୦ କି.ମି., ୪୦୦ କି.ମି., ୬୦୦ କି.ମି. ସାଇକେଲ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।