ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର ଝରା (୫୧)ଙ୍କ ପରିବାର ଦୀର୍ଘ ୩୦ ବର୍ଷ ଧରି ପଲିଥିନ ତଳେ ଜୀବନ ବିତାଉଛନ୍ତି। ପରିବାରରେ ତାଙ୍କ ପତ୍ନୀ ରୁକ୍ମିଣୀ ଝରା (୪୨), ୧୬ ବର୍ଷୀୟା ଝିଅ ଜ୍ୟୋତ୍ସ୍ନା ଝରା ଏବଂ ୧୧ ବର୍ଷୀୟ ପୁଅ ଯୁଧିଆ ରହିଛନ୍ତି।

ଖରା, ବର୍ଷା ଓ ଶୀତରେ ଖୋଲା ଆକାଶ ତଳେ ବହୁ କଷ୍ଟରେ ପରିବାରଟି ଜୀବନଯାପନ କରିଆସୁଛି। ଏନେଇ ଅନେକଥର ଗ୍ରାମ ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିବା ପରିବାର ପକ୍ଷରୁ କୁହାଯାଇଛି। ଫଳରେ ଏବେ ବି ପଲିଥିନ ତଳେ ଜୀବନ କାଟୁଛନ୍ତି ଝରା ପରିବାର।

ବର୍ଷା ଋତୁରେ ଏହି ଅଞ୍ଚଳରେ ସାପ ସମେତ ବିଭିନ୍ନ ହିଂସ୍ର ଜନ୍ତୁଙ୍କ ଭୟ ରହିଥିବା ଜଣାପଡ଼ିଛି। ଭଗବାନଙ୍କ ଭରସାରେ ପରିବାରଟି ପଲିଥିନ ତଳେ ଦିନ କାଟୁଛି। ଏହି କଲେକ୍ଟରପଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ପାନୀୟ ଜଳ ଯୋଗାଣ ପାଇଁ ପାଇପଲାଇନ୍ ସଂଯୋଗ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ପାଣି ମିଳୁନାହିଁ। ସେହିପରି ଦୀର୍ଘ ବର୍ଷ ଧରି ଏହି ପଡ଼ାକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ। ଫଳରେ ବର୍ଷା ଋତୁରେ ଅନ୍ଧାରରେ ଜୀବନ କାଟିବାକୁ ପଡ଼ୁଛି।

ରାମେଶ୍ୱର ନିଜ ପତ୍ନୀ, ଝିଅ ଓ ପୁଅଙ୍କୁ ନେଇ କଷ୍ଟରେ ଜୀବନଯାପନ କରୁଛନ୍ତି। ସେ ଲୁହା ଓ ଟିଣରେ ବିଭିନ୍ନ ବ୍ୟବହାରଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରି ଗାଁକୁ ଗାଁ ଯାଇ ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାରର ପ୍ରତିପୋଷଣ କରିଥାନ୍ତି। ତେବେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରର ଦୁଃଖ ଦୂର ହୋଇନାହିଁ।

ଗତ ଶନିବାର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ସମେତ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡା. ରବୀନ୍ଦ୍ର କୁମାର ଖଟୁଆ ଓ ବିଜେଡି ଟାଉନ ସଭାପତି ପ୍ରମୁଖ କଲେକ୍ଟରପଡ଼ା ପରିଦର୍ଶନ କରିଥିଲେ। ସେମାନେ ପଡ଼ାବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ନିର୍ମାଣ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ କିଛି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ କନ୍ତେଶିର ଗ୍ରାମ ପଞ୍ଚାୟତ ସରପଞ୍ଚ ମମତାରାଣୀ ନାଗଙ୍କୁ ପଚାରିବାରୁ, ରାମେଶ୍ୱର ଝରାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଯୋଗାଇଦେବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share