ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ମଧ୍ୟ ଭାରତ ଏବଂ ପୂର୍ବଘାଟ ବ୍ୟାଘ୍ର ଭୂଖଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ସେତୁ ଭାବେ ଉଭା ହୋଇଥିବା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ବିରଳ ଓ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ସକାଳେ ଅଭୟାରଣ୍ୟର ନିର୍ଦ୍ଧାରିତ ସଫାରୀ ଜୋନ ମଧ୍ୟରେ ଭ୍ରମଣ କରୁଥିବା ପ୍ରାୟ ୩୦ ଜଣ ପର୍ଯ୍ୟଟକ ଏକ ମହାବଳ ବାଘକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ମହାବଳ ବାଘର ଏଭଳି ସ୍ପଷ୍ଟ ଦର୍ଶନ ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି।
ଗତ ନଭେମ୍ବର ୯ ତାରିଖରେ ଛତିଶଗଡ଼ ପଟୁ ପ୍ରାୟ ୫ ବର୍ଷ ବୟସ୍କ ଏହି ଅଣ୍ଡିରା ମହାବଳ ବାଘଟି ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରବେଶ କରିଥିବା ରେକର୍ଡ କରାଯାଇଥିଲା। ପୂର୍ବରୁ ୨୦୨୨ ଡିସେମ୍ବରରେ ମଧ୍ୟ ଏକ ମହାବଳ ବାଘ ଏଠାକୁ ଆସି ୨୦୨୪ ପର୍ଯ୍ୟନ୍ତ ରହିଥିଲା। ଗତ ଚାରି ବର୍ଷ ମଧ୍ୟରେ ଦୁଇଟି ମହାବଳ ବାଘଙ୍କର ପ୍ରାକୃତିକ ଆଗମନ ଏବଂ ଛତିଶଗଡ଼ରୁ ଆସିଥିବା ବଣୁଆ କୁକୁର (ଢୋଲ) ମାନଙ୍କର ସଫଳ ବଂଶବୃଦ୍ଧି ଡେବ୍ରିଗଡ଼ର ସମୃଦ୍ଧ ଜୈବ ବିବିଧତା ଓ ସୁରକ୍ଷିତ ବାସସ୍ଥଳୀର ପ୍ରମାଣ ଦେଉଛି। ୨୦୨୨ରୁ ୨୦୨୬ ମଧ୍ୟରେ ଅଭୟାରଣ୍ୟ ଭିତରେ ଥିବା ପ୍ରାୟ ୪୦୦ ପରିବାରର ସଫଳ ବିସ୍ଥାପନ ଓ ଥଇଥାନ ଯୋଗୁଁ ୨୦୨୩ ମସିହାରୁ ଡେବ୍ରିଗଡ଼ ସମ୍ପୂର୍ଣ୍ଣ ଭାବେ ଜନବସତି ମୁକ୍ତ ହୋଇପାରିଛି।
ଅଭୟାରଣ୍ୟର ପ୍ରାୟ ୯ ପ୍ରତିଶତ ଅଞ୍ଚଳରେ ତୃଣଭୂମିର ବିକାଶ ଏବଂ ସାତ ପ୍ରକାରର ସ୍ବତନ୍ତ୍ର ବନ୍ୟପ୍ରାଣୀ ବାସସ୍ଥଳୀର ପରିଚାଳନା ଫଳରେ ଏଠାରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ବର୍ତ୍ତମାନ ଡେବ୍ରିଗଡ଼ରେ ୮୫୦ରୁ ଅଧିକ ଗୟଳ ଥିବା ବେଳେ କେବଳ ସଫାରୀ ଜୋନ୍ରେ ୧୦୦ରୁ ଅଧିକ ଗୟଳ ଦେଖିବାକୁ ମିଳୁଛନ୍ତି। ଏହା ସହିତ ସମ୍ବର, ଚିତଲ, ଭାଲୁ ଏବଂ କଲରାପତରିଆ ବାଘଙ୍କର ନିୟମିତ ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
କେବଳ ବନ୍ୟପ୍ରାଣୀ ସଂରକ୍ଷଣ ନୁହେଁ, ବରଂ ଗୋବିନ୍ଦପୁର ପକ୍ଷୀ ଗ୍ରାମ, ବାରବଖରା, ଧୋଡ୍ରୋକୁସୁମ ସବୁଜ ଗ୍ରାମ ଏବଂ ‘ଡେବ୍ରିଗଡ଼ ଅଭିନନ୍ଦନ’ ଭଳି ପଦକ୍ଷେପ ମାଧ୍ୟମରେ ୩୮ଟି ଶିକ୍ଷାନୁଷ୍ଠାନ ଓ ୬୭ଟି ଇକୋ-ଡେଭଲପମେଣ୍ଟ କମିଟିକୁ ସଂରକ୍ଷଣ ସହ ଯୋଡ଼ାଯାଇଛି। ଏହି ଇକୋ-ଟୁରିଜିମ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଜଙ୍ଗଲ ନିର୍ଭରଶୀଳ ସମ୍ପ୍ରଦାୟର ପ୍ରାୟ ୧୫୦ ଜଣ ସଦସ୍ୟଙ୍କୁ ସଫାରୀ, ବୋଟିଂ ଓ ଆତିଥ୍ୟ କ୍ଷେତ୍ରରେ ସମ୍ମାନଜନକ ଜୀବିକା ମିଳିପାରିଛି। ସୁରକ୍ଷିତ ବନ୍ୟପ୍ରାଣୀ କରିଡର ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଡେବ୍ରିଗଡ଼କୁ ସମ୍ବଲପୁର ତଥା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ଇକୋ-ଟୁରିଜିମ କେନ୍ଦ୍ର ଭାବେ ପରିଚିତ କରାଇଛି।