୩୦ ସୁଦ୍ଧା ୩୦

ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ ଏହି ‘୩୦ ସୁଦ୍ଧା ୩୦’ ପ୍ରସଙ୍ଗଟି ଏକ ଗମ୍ଭୀର ଆଲୋଚନାର ବିଷୟବସ୍ତୁ ପାଲଟିଛି। ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଛନ୍ତି ଯେ ଆମ ଗ୍ରହର ପ୍ରକୃତି ଓ ପରିବେଶ କ୍ରମେ ଏକ ସଙ୍କଟମୟ ପରିସ୍ଥିତି ଦିଗରେ ଗତି କରୁଛି।
ଜଳ, ସ୍ଥଳ, ବାୟୁ ଏବଂ ଶବ୍ଦର ଅନିୟନ୍ତ୍ରିତ ପ୍ରଦୂଷଣ, ପ୍ରାକୃତିକ ପରିସଂସ୍ଥାଗୁଡ଼ିକର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ, ସମ୍ବଳର ଅତ୍ୟଧିକ ଶୋଷଣ, ବାହ୍ୟ ଜୀବଜାତିଙ୍କର ସ୍ଥାନୀୟ ବାସସ୍ଥଳୀରେ ପ୍ରବେଶ, ଜୈବବିବିଧତାର ହ୍ରାସ, ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟାରେ ଧରିତ୍ରୀ କ୍ରମଶଃ ଜର୍ଜରିତ ହୋଇଚାଲିଛି।
ଏପରି ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟିର ମୂଳରେ ରହିଛି ବିଜ୍ଞତାର ପ୍ରୟୋଗ ବିନା ସାଧିତ ମାନବୀୟ କାର୍ଯ୍ୟଧାରାର ନକାରାତ୍ମକ ପ୍ରଭାବ ତଥା ଅସହନୀୟ ମାର୍ଗରେ ବିକାଶ ପ୍ରକ୍ରିୟା ଏବଂ ଅର୍ଥନୈତିକ ପ୍ରଗତିର ପ୍ରବର୍ତ୍ତନ। ଏହି ପୃଷ୍ଠଭୂମିରେ ଯଦି ପ୍ରଚଳିତ ବିନାଶ ପ୍ରକ୍ରିୟାର ଧାରା ଜାରି ରହେ, ତେବେ ଆଗାମୀ ପରିସ୍ଥିତି ଅଧିକ ଗମ୍ଭୀର ହେବା ସହ ଜୈବବିବିଧତାର ଅବକ୍ଷୟ ଆହୁରି ତ୍ୱରାନ୍ବିତ ହେବ। ସର୍ବାଧିକ ବୈଜ୍ଞାନିକ ଅନୁସନ୍ଧାନ ଦର୍ଶାଏ ଯେ ପୃଥିବୀର ସ୍ଥଳଭାଗ ଏବଂ ମହାସାଗରର ଅତି କମ୍‌ରେ ୩୦ ପ୍ରତିଶତ ଅଞ୍ଚଳର ସୁରକ୍ଷା ଓ ସଂରକ୍ଷଣ ସାଧନ ଦ୍ୱାରା ଜୈବବିବିଧତା ହ୍ରାସକୁ ନିୟନ୍ତ୍ରିତ କରିବା ଏବଂ ବିଲୁପ୍ତକୁ ରୋକିବା ସହିତ ବର୍ଦ୍ଧିତ ଅଙ୍ଗାରକାମ୍ଳକୁ ଗଚ୍ଛିତ କରିବା, ଭବିଷ୍ୟତର ମହାମାରୀକୁ ରୋକିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହେବ।
ସମ୍ପ୍ରତି ୯୦ରୁ ଅଧିକ ରାଷ୍ଟ୍ରଙ୍କର ଏକ ଅନ୍ତଃରାଷ୍ଟ୍ରୀୟ ଗୋଷ୍ଠୀ ଏହି ମର୍ମରେ କାର୍ଯ୍ୟ ସମ୍ପାଦନ କରୁଛି, ଯାହା ‘ପ୍ରକୃତି ଏବଂ ଲୋକଙ୍କ ପାଇଁ ଉଚ୍ଚ ଅଭିଳାଷ ସମନ୍ବୟ ଗୋଷ୍ଠୀ’ (ଏଚ୍‌ଏସି) ନାମରେ ନାମିତ। ଏହା ୨୦୩୦ ସୁଦ୍ଧା ପୃଥିବୀର ଉଭୟ ସ୍ଥଳଭାଗ ଏବଂ ସମୁଦ୍ରାଞ୍ଚଳର ଅତି କମ୍‌ରେ ୩୦ ପ୍ରତିଶତ ଅଞ୍ଚଳର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଥିବା ବୈଶ୍ବିକ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଉତ୍ସାହିତ କରୁଛି, ଯାହା ‘୩୦x୩୦’ ଲକ୍ଷ୍ୟ ରୂପେ ଆଖ୍ୟାୟିତ। ଏହି ଲକ୍ଷ୍ୟର କାର୍ଯ୍ୟକାରିତା ଉପଲବ୍ଧ ଶ୍ରେଷ୍ଠ ବିଜ୍ଞାନସମ୍ମତ କାର୍ଯ୍ୟଧାରା ସହ ଆଦିମ ଜନଜାତି ଏବଂ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଅଧିକାର ପ୍ରତି ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ ପୂର୍ବକ ନିର୍ଦ୍ଦିଷ୍ଟ ଅଞ୍ଚଳର ପରିସ୍ଥିତିକୁ ବିଚାରକୁ ନେଇ ଏକ ରାଷ୍ଟ୍ରର ସମ୍ମିଳିତ ସାର୍ବଭୌମ ନିଷ୍ପତ୍ତି ଦ୍ୱାରା ହେବ। ଏହି ୩୦x୩୦ ହେଉଛି ଏକ ସଶକ୍ତ ଯୋଜନା ଯାହା ପ୍ରକୃତିର ଭୟାବହ ଅବକ୍ଷୟକୁ ମନ୍ଥର କରିବାରେ, ବିଶ୍ୱ ଜଳବାୟୁ ସଙ୍କଟକୁ ମୁକାବିଲା କରିବାରେ ଏବଂ ପ୍ରଦୂଷଣକୁ ଶୋଧନ କରିବାରେ ସହାୟତା କରିବ; ଯାହା ଆମକୁ ନିର୍ମଳ ବାୟୁ ନିଃଶ୍ୱାସ ନେବାରେ ଏବଂ ବିଶୁଦ୍ଧ ଜଳ ପାନ କରିବାରେ ସକ୍ଷମ କରିବ। ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା ଏବଂ ଲାଟିନ ଆମେରିକାର କେତେକ ବିବିଧତାପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନେଇ ଏଚ୍‌ଏସି ଗଠିତ। ଭାରତ ୨୦୨୧ରୁ ଏହି ଗୋଷ୍ଠୀର ସଦସ୍ୟତା ଗ୍ରହଣ କରିଥିବା ବେଳେ ଆମେରିକା ନିକଟରେ ଏଥିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ପୃଥିବୀର ୧୭ଟି ଦେଶ ‘ମେଗାଡାଇଭର୍ସ ରାଷ୍ଟ୍ର’ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଅଛନ୍ତି, ଯେଉଁମାନେ କି ବହୁ ସଂଖ୍ୟକ ଜୀବଜାତିଙ୍କୁ, ବିଶେଷକରି ବିବିଧ ସ୍ବସ୍ଥାନୀୟ (ଏଣ୍ଡେମିକ) ଜୀବମାନଙ୍କୁ ଧାରଣ କରିଥା’ନ୍ତି। ନିଜ ଦେଶର ୩୦ ପ୍ରତିଶତ ଅଞ୍ଚଳକୁ ସଂରକ୍ଷଣ କରିବାକୁ ବାଇଡେନ୍‌ ପ୍ରଶାସନ ପ୍ରତିବଦ୍ଧତା ପ୍ରକାଶ କରି ନିକଟରେ ଏକ ବିଲିୟନ ଡଲାରର ଏକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବକ ଏହି ଲକ୍ଷ୍ୟ କିପରି ବିଶ୍ୱସ୍ତରରେ ଅଗ୍ରଗତି ହାସଲ କରିବ ସେଥି ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି।
ଜି-୭ ଗୋଷ୍ଠୀ ଦ୍ୱାରା ୩୦x୩୦ର ବିଶ୍ୱସ୍ତରୀୟ ଲକ୍ଷ୍ୟ ମଧ୍ୟ ଅନୁମୋଦିତ ହୋଇଛି ଏବଂ ଏହା ୨୦୨୨ ଅକ୍ଟୋବରରେ ଚାଇନାର କୁନ୍‌ମିଙ୍ଗ ସହରରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜୈବବିବିଧତା ଚୁକ୍ତିନାମା (ସିବିଡି)ର ୧୫ତମ ସମ୍ମିଳନୀର ଦ୍ୱିତୀୟ ଅଧ୍ୟାୟର କେନ୍ଦ୍ରୀୟ ପ୍ରସଙ୍ଗ ପାଲଟିଛି, ଯାହାକି ‘୨୦୨୦-ପରବର୍ତ୍ତୀ ବୈଶ୍ବିକ ଜୈବବିବିଧତା ଢାଞ୍ଚା’ ରୂପେ ଜ୍ଞାତ। ଏହି ୨୦୨୦-ପରବର୍ତ୍ତୀ ଢାଞ୍ଚାକୁ ‘୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତି’ ପରି ଆମ ଗ୍ରହର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବ୍ରାଜିଲର ରିଓଠାରେ ୧୯୯୨ରେ ଅନୁଷ୍ଠିତ ଧରିତ୍ରୀ ସମ୍ମିଳନୀ ଅବସରରେ ଜୈବବିବିଧତା ଚୁକ୍ତିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।
ଅଧିକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ ନିମନ୍ତେ ଦୁଇ ବର୍ଷ ଅନ୍ତରରେ ସିବିଡି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ସମ୍ମିଳନୀ ଆୟୋଜନ ହୋଇଥାଏ। ପ୍ରାକୃତିକ ବାସସ୍ଥଳୀଗୁଡ଼ିକର ଅବକ୍ଷୟକୁ ରୋକିବା ତଥା ଏହାକୁ ପ୍ରତିବନ୍ଧିତ ଓ ବିପରୀତମୁଖୀ କରିବା ଉଦ୍ଦେଶ୍ୟରେ ଏକ ବିଶ୍ୱସ୍ତରୀୟ ପ୍ରୟାସ ରୂପେ ଜାତିସଂଘ ମଧ୍ୟ ୨୦୨୧-୨୦୩୦ ଦଶନ୍ଧିକୁ ‘ପରିସଂସ୍ଥା ପୁନରୁଦ୍ଧାରର ଦଶନ୍ଧି’ ରୂପେ ଘୋଷଣା କରିଛି, ଯାହାକି ପୃଥିବୀର ସୁସ୍ଥତା ହାସଲ ନିମନ୍ତେ ଏକ ସର୍ବୋତ୍ତମ ପ୍ରୟାସ।
ଏବେକୁନ୍‌ମିଙ୍ଗ ଅଧିବେଶନରେ ଆମ ଗ୍ରହର ସର୍ବନିମ୍ନ ୩୦ପ୍ରତିଶତ ଅଞ୍ଚଳର ସୁରକ୍ଷାକୁ ନିଶ୍ଚିତ କରିବା ନିମନ୍ତେ ହେବାକୁ ଥିବା ପ୍ରଥମ ଖୋଲା ବୁଝାମଣା ଯଥେଷ୍ଟ ସମର୍ଥନ ହାସଲ କରିଛି ସତ; କିନ୍ତୁ ଏହି ନୂତନ ପ୍ରୟାସ ପଥରେ ରହିଥିବା କେତେକ ପ୍ରମୁଖ ପ୍ରତିବନ୍ଧକ ଏପର୍ଯ୍ୟନ୍ତ ସମାଧିତ ହୋଇନାହିଁ।
ଏଥିରେ ଅନ୍ତର୍ଭୁକ୍ତ ରହିଛି ପ୍ରକୃତିର ସୁରକ୍ଷା ଏବଂ ପୁନରୁଦ୍ଧାର ପାଇଁ ଆବଶ୍ୟକ ବାର୍ଷିକ ୭୦୦ ବିଲିୟନ ଡଲାର ପାଣ୍ଠିର ସୁବ୍ୟବସ୍ଥା ହେବାର ଚ୍ୟାଲେଞ୍ଜ। ତେଣୁ ବୁଝାମଣାର ସାଫଲ୍ୟ ଅର୍ଜନ ମୂଳରେ ରହିଛି ଆର୍ଥିକ ପ୍ରସ୍ତୁତି, କାର୍ଯ୍ୟକ୍ରମ କରିବାର ପ୍ରତିବଦ୍ଧତା ଏବଂ ସମଭାବରେ ଲାଭର ବଣ୍ଟନ ନିମନ୍ତେ ସମାଧାନର ପନ୍ଥା ନିରୂପଣ। ସମ୍ମିଳନୀ ପୂର୍ବରୁ ପ୍ରକୃତି ନିମନ୍ତେ ଅଭିଯାନ, ପ୍ରକୃତି ସଂରକ୍ଷଣ, ଡବ୍ଲ୍ୟଡବ୍ଲ୍ୟଏଫ୍‌ ଏବଂ ବିଶ୍ୱ ସମ୍ବଳ ପ୍ରତିଷ୍ଠାନ ସମେତ ଏକ ସମ୍ମିଳିତ ପରିବେଶ ଗୋଷ୍ଠୀ ଧନୀକ ରାଷ୍ଟ୍ରଗୁଡ଼ିକ ଉଦ୍ଦେଶ୍ୟରେ ବାର୍ଷିକ ନୂ୍ୟନତମ ୬୦ ବିଲିୟନ ଡଲାରର ଲକ୍ଷ୍ୟକୁ ପୂରଣ କରିବାକୁ ଆହ୍ବାନ ଜଣାଇଛି। ପ୍ରାୟ ୧୦୦ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ‘ପ୍ରକୃତି ପାଇଁ ଅଭିଯାନ’ ମିଳିତ ମଞ୍ଚ ପରବର୍ତ୍ତୀ ଦଶନ୍ଧି ମଧ୍ୟରେ ପ୍ରାକୃତିକ ପରିସଂସ୍ଥାସବୁର ସୁରକ୍ଷା ପାଇଁ ଧାର୍ଯ୍ୟ ସମ୍ମିଳନୀର ନୂତନ ଉଚ୍ଚାଭିଳାଷୀ ଲକ୍ଷ୍ୟକୁ ବାସ୍ତବତାର ରୂପ ଦେବା ନିମନ୍ତେ ସହମତି ଭିତ୍ତିରେ କାର୍ଯ୍ୟଧାରା ଅବ୍ୟାହତ ରଖିଛି। ସମ୍ମିଳନୀର ଏହି ଉଚ୍ଚାକାଂକ୍ଷୀ ଯୋଜନା କାର୍ଯ୍ୟରେ ରୂପାନ୍ତରିତ ହେଲେ ଜୈବବିବିଧତା ସହ ସମାଜ ସମ୍ପର୍କରେ ଅଭୂତ ସକାରାତ୍ମକ ପରିବର୍ତ୍ତନ ଘଟିବ ଏବଂ ପ୍ରକୃତି ସହିତ ସୁସମ୍ପର୍କରେ ଜୀବନଧାରଣ କରିବାର ସମଦୃଷ୍ଟି ମାନସିକତା ୨୦୫୦ ସୁଦ୍ଧା ବାସ୍ତବତାର ରୂପ ନେବ।
ପ୍ରକୃତି ସମ୍ମୁଖୀନ ହେଉଥିବା ମାନବସୃଷ୍ଟ ସଙ୍କଟକୁ ଦୂର କରିବା ପାଇଁ ବିଶ୍ୱର ରାଷ୍ଟ୍ରସମୂହ ସମ୍ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରି ‘୩୦x୩୦’ ଲକ୍ଷ୍ୟ ହାସଲର ପ୍ରୟାସକୁ ବାସ୍ତବତାରେ ପରିଣତ କରିବା ମାନବଜାତିର ବିଜ୍ଞତା ପ୍ରଦର୍ଶନର ଏକ ଶ୍ରେଷ୍ଠ ନିଦର୍ଶନ ହେବ ।

-ଡ. ଜୟକୃଷ୍ଣ ପାଣିଗ୍ରାହୀ
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର, ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri