ଓଡ଼ିଶାରେ ପହଞ୍ଚିଲା ୩୦ ହଜାର ଓମିସିୟୋର କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ୩୦ ହଜାର ଓମିସିୟୋର କିଟ୍‌ । ଏହାଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । କିଟ୍‌ ପହଂଚିବା ପରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହା ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି । ଯେଉଁ ଜିଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲାକୁ ଏହି କିଟ୍‌ ପଠାଯିବ ବୋଲିି ବୁଧବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ମୁଖ୍ୟତଃ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଏଣୁ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ୪ ସହରକୁ ଏହି କିଟ୍‌ ପହଞ୍ଚାଯିବ । ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ । ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ା ଯାଇପାରିବ ସ୍ବାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । ସାମାନ୍ୟ ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ପରାମର୍ଶ ଦେଉଛୁ। ଏହାଦ୍ୱାରା ତୁରନ୍ତ ଚିକିତ୍ସା ଆରମ୍ଭ ହେବା ସହ ସଂକ୍ରମଣକୁ ରୋକି ହେବ ବୋଲି ସେ କହିଛନ୍ତି।