ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ ନଡ଼ିଆ ବାହୁଙ୍ଗାରେ ନିର୍ଧୂମ ପିଟିବା ଘଟଣାର ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର। ସେ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ସହ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଥିବା ସୂଚନା ଦେଇଛନ୍ତି।
ଅନୁଧ୍ୟାନ ପରେ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ଯେ, ସ୍କୁଲରେ ତୁରନ୍ତ ନୂତନ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆପରାଧିକ ମାନସିକତାକୁ ରୋକିବା ଲାଗି ରାଜ୍ୟର ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏ କାଉନସେଲର ନିଯୁକ୍ତି ଦିଆଯିବ। ଏଥିସହ ମ୍ୟାଲେରିଆ ନିରାକରଣ, ସ୍ବଚ୍ଛତା ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଶିଶୁଙ୍କ ବିକାଶ ପାଇଁ ନିଜସ୍ବ କୋଠା ନ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ୧୧ରୁ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ, ଏଲଇଡି ବ୍ୟବସ୍ଥା ଏବଂ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଜରିଆରେ ସ୍ବାସ୍ଥ୍ୟ ଶିକ୍ଷା ଦିଆଯାଉଥିବା ସେ କହିଛନ୍ତି। ସ୍କୁଲ ଓ ହଷ୍ଟେଲରେ କର୍ମଚାରୀ ଅଭାବ ସମସ୍ୟା ନେଇ ଜିଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଏସ୍‌ଡିସି ଅଧ୍ୟକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ଅନିଲ ଜାଡି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share