ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି। ତାରି କୋଳରେ ବଢୁଥିବା ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ଅଙ୍ଗାର ପାଲଟିଛି। ଚାରିଆଡ଼େ ସବୁଜ ଦିଶୁଥିବା ପ୍ରକୃତିର ଲକ୍ଷ୍ମୀଭଣ୍ଡାର ଉଜୁଡ଼ିବାକୁ ବସିଛି। ପ୍ରାଣ ବିକଳରେ ପଶୁପକ୍ଷୀ ଏଣେତେଣେ ଦୌଡୁଥିବା ବେଳେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ଅକ୍ଳାନ୍ତ ପ୍ରାୟସ ଜାରି ରହିଛି। ମାତ୍ର ଅଦ୍ୟାବଧି ନିଆଁ ଆୟତ୍ତ ହୋଇ ପାରି ନ ଥିବା ବେଳେ ପରିସ୍ଥିତି ଅଣାୟତ୍ତ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ରିପୋର୍ଟ ପ୍ରକାଶିତ ହୋଇଛି। ମିଳିଥିବା ସାଟେଲାଇଟ ତଥ୍ୟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜରେ ଥିବା ୩୦ଟି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି ା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଶଶୀ ପଲ୍‌, ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଜଗ ଜୟାନନ୍ଦ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ପ୍ରମୁଖ ଶିମିଳିପାଳ ଆଭ୍ୟନ୍ତରୀଣ ଇଲାକାରେ ରହି ନିଆଁଲିଭା କାର୍ଯ୍ୟକୁ ତଦାରଖ କରୁଛନ୍ତି। ବନବିଭାଗ କର୍ମଚାରୀ, ଦମକଳବାହିନୀ, ବନସୁରକ୍ଷା ସମିତି ଓ ଅଞ୍ଚଳବାସୀ ନିଆଁ ଲିଭାଇବାରେ ଲାଗି ପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିପାଳ ଜୈବ ମଣ୍ଡଳର ଥିବା ବରେହିପାଣି ଉତ୍ତର, ତୁଳସୀବଣି, ଚଢ଼େଇପାହାଡ଼, ଗୁଡୁଗୁଡ଼ିଆ, ନଅଣା ରେଞ୍ଜ ଏବଂ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡର ୩୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ସ୍ଥାନରେ ନିଆଁଲିଭା କାର୍ଯ୍ୟ ଚାଲୁରହିଛି। ପୋଡ଼ି ଯାଇଥିବା ଜଙ୍ଗଲରେ ପାଉଁଶ ହୋଇଯାଇଛନ୍ତି ଅନେକ ସରୀସୃପ, କୀଟପତଙ୍ଗ ଓ ପକ୍ଷୀଶାବକ। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ନିଆଁର ଉତ୍ତାପ ସାଙ୍ଗକୁ ତାତିର ପ୍ରଭାବ ବାୟୁମଣ୍ଡଳରେ ପରିଲକ୍ଷିତ ହୋଇଛି। ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ଚଢ଼ି କର୍ମଚାରୀମାନେ ବ୍ଲୋୟର ମେଶିିନ ମାଧ୍ୟମରେ ନିଆଁକୁ ଆୟତ୍ତ କରିବା ପାଇଁ ପରିଶ୍ରମ ଜାରି ରଖିଛନ୍ତି। ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା କୁହନ୍ତି, ନିଆଁଲିଭା କାର୍ଯ୍ୟରେ ୧୧ଶହ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି ପିସିସିଏଫ ପଲ କହିଛନ୍ତି, ନିଆଁ ଲିଭା କାର୍ଯ୍ୟ ଜୋରଦାର ଚାଲୁ ରହିଛି। ଅନ୍ୟ କିଛି ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି। ନିଆଁ ଲାଗିଥିବା ସ୍ଥାନର ସଂଖ୍ୟା ବଢ଼ୁଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଏକ ଶହ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରାଯିବ। ତେବେ ନିଆଁ ଯୋଗୁ କୌଣସୀ ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟି ନ ଥିବା ସେ ପ୍ରକାଶ କରିଛନ୍ତି।