୩୦ ପ୍ରତିଶତ ବଢିଛି ଘରଭଡା, ଶୀର୍ଷରେ ରହିଛି ଏହି ସହର…

ନୂଆଦିଲ୍ଲୀ,୧୪।୧୨ : ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ସଙ୍କଟ ସୃଷ୍ଟି କରିଛି। ଆକାଶଛୁଆଁ ଘର ଭଡା ବଡ ସହର ଏବଂ ଅଧ୍ୟୟନ ପାଇଁ ଦିଲ୍ଲୀ-ଏନସିଆର ଯାଉଥିବା ଲୋକଙ୍କ ପକେଟ ଖାଲି କରିଦେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଅନେକ ବଡ ସହରରେ ଘର ଭଡାରେ ରେକର୍ଡ ବୃଦ୍ଧି ଘଟିଛି। ଦେଶରେ ନିଯୁକ୍ତି ଏବଂ ଶିକ୍ଷା ହବ ଭାବରେ ପରିଗଣିତ ହୋଇଥିବା ସହରରେ ଏହା ଅଧିକ ରହିଛି। ରିପୋର୍ଟ ଅନୁଯାୟୀ, ଚଳିତ ୨୦୨୩ ମସିହାରେ ଘର ଭଡା ୩୦ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ପ୍ରତି ରିଅଲ ଇଷ୍ଟେଟ ୱେବସାଇଟ ନୋବ୍ରୋକର୍‌ ଏକ ତଥ୍ୟ ପ୍ରକାଶ କରିଛି। ନୋବ୍ରୋକରର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ୬୫ ପ୍ରତିଶତ ଭାରତୀୟ ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ନିଜ ଘର କିଣିବାକୁ ଚାହୁଁଛନ୍ତି। ଘର ଭଡା ବୃଦ୍ଧି ଏହା ପଛରେ ଏକ ପ୍ରମୁଖ କାରଣ ।

୩୨ ହଜାର ଲୋକଙ୍କ ଉପରେ କରାଯାଇଥିବା ସର୍ଭେରେ ଅଧିକାଂଶ ଲୋକଙ୍କ ଉତ୍ତର ଥିଲା ସେମାନେ ଘର କିଣିବାକୁ ଚାହୁଁଛନ୍ତି କାରଣ ସେମାନେ ଯଦି ବାହାରେ ରହୁଛନ୍ତି ତେବେ ଘର ପାଇଁ ବହୁତ ଭଡା ଦେବାକୁ ପଡିବ। ଏହି ଭଡା ଏକ ମାସର ରାଶନଠାରୁ ଅଧିକ। ସର୍ବେକ୍ଷଣରେ ୪୧ ପ୍ରତିଶତ ଲୋକ କହିଛନ୍ତି ଭଡାରେ ସମ୍ପତ୍ତି ନେବା ପରିବର୍ତ୍ତେ ଘର କିଣିବା ଭଲ ବୋଲି ସେମାନେ ଭାବୁଛନ୍ତି।

ରିପୋର୍ଟ ଅନୁଯାୟୀ, ଭଡା ଦୃଷ୍ଟିରୁ ବେଙ୍ଗାଲୁରୁ ସହର ପ୍ରଥମ ସ୍ଥାନରେ ରହିଛି। ଏଠାରେ ଘର କିମ୍ବା ଫ୍ଲାଟ ଭଡା ରେ ୨୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଏହା ପରେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ଭଡା ୧୮ ପ୍ରତିଶତ ଏବଂ ହାଇଦ୍ରାବାଦରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ଦିଲ୍ଲୀ ଏନସିଆରରେ ଭଡା ୧୫ ପ୍ରତିଶତ ଏବଂ ମୁମ୍ବାଇରେ ୧୪ ପ୍ରତିଶତ ବୃଦ୍ଧି ପାଇଛି। ତେବେ ନୋଏଡା, ଗୁରୁଗ୍ରାମ ଇତ୍ୟାଦି ସହରର କେତେକ ଅଞ୍ଚଳରେ ଭଡା ୨୦ ରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି।

ସର୍ଭେ କରାଯାଇଥିବା ୨୭ ପ୍ରତିଶତ ଭାରତୀୟ କହିଛନ୍ତି ସେମାନେ ଘର କିଣିବାକୁ ଚାହୁଁଛନ୍ତି କାରଣ ସେମାନେ ଏହା କରିପାରିବେ। ୨୩ ପ୍ରତିଶତ ଲୋକ କହିଛନ୍ତି ସେମାନେ ସମ୍ପତ୍ତି ମାଲିକ ହେବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେମାନେ ସୁରକ୍ଷିତ ହୋଇପାରିବ। ରିପୋର୍ଟ ଅନୁଯାୟୀ, ପ୍ରାୟ ୯ ପ୍ରତିଶତ ଲୋକ କହିଛନ୍ତି ସେମାନେ  ବିବାହ କରିବାକୁ ଯାଉଛନ୍ତି ସେଥିପାଇଁ ଘର କିଣିବାକୁ ଚାହୁଁଛନ୍ତି।

Share