ଇବ୍‌ ନଦୀରେ ଭାସିଗଲେ ୩ ଯୁବକ, ଜଣେ ଉଦ୍ଧାର, ୨ ନିଖୋଜ

ସୁନ୍ଦରଗଡ଼,୪ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍‌ ନଦୀର କନାକୁଣ୍ଡ ଘାଟରେ ପୁଣି ଘଟିଛି ଅଘଟଣ। ବୁଧବାର ଏଠାକୁ ଆସି ଥିବା ୩ଜଣ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ସତିଶ କୁମାର ଗୁପ୍ତା(୨୬)। ନିଖୋଜ ଥିବା ଦୁଇ ଯୁବକଙ୍କ ନାମ ଚୂଡାମଣି ମେହେର(୨୬)ଓ ମୁକେଶ ମେହେର(୧୭)। ଏମାନଙ୍କ ଘର ଝାରସୁଗୁଡା ଜିଲା ବୁରୋମାଲ ଗ୍ରାମରେ।

ସୂଚନାନୁଯାୟୀ, ବୁରୋମାଲ ଗ୍ରାମର ପ୍ରାୟ ୨୫ଜଣ ଯୁବକ ଏଠାକୁ ପିକ୍‌ନିକ୍‌ ପାଇଁ ଆସିଥିଲେ। ଅପରାହ୍ନ ୩ଟାରେ ଏମାନଙ୍କ ମଧ୍ୟରୁ ଏହି ତିନି ଜଣ ଯୁବକ ଇବ୍‌ ନଦୀରେ ଗାଧୋଉଥିବା ବେଳେ ପ୍ରଥମେ ମୁକେଶ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସତୀଶ ଓ ଚୂଡ଼ାମଣି ମଧ୍ୟ ଭାସିଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଅଗ୍ନିଶମ ବିଭାଗ ଓ ତଳସରା ଥାନା ପୋଲିସକୁ ଖବର ଦେଇଥିଲେ। ତଳସରା ଥାନା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସଦଳବଳ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ପାଇଁ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।