ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍ଓପି) ଜାରି କରିଛନ୍ତି। ଏସ୍ଓପିରେ ଡ. ପାଢ଼ୀ ଦର୍ଶାଇଛନ୍ତି, ଜନଗଣନା କାର୍ଯ୍ୟରେ ନିୟୋଜିତ ସୁପରଭାଇଜର ଓ ଏନ୍ୟୁମେରେଟରଙ୍କୁ ସୁରକ୍ଷା ମିଳିବ। ଯଦି କୌଣସି ବ୍ୟକ୍ତି ଏହି କାର୍ଯ୍ୟ ନିର୍ବାହ ବେଳେ ବାଧା ସୃଷ୍ଟି କରନ୍ତି ତେବେ ସେ ଆର୍ଥିକ ଓ ଜେଲଦଣ୍ଡରେ ଦଣ୍ଡିତ ହେବେ।
ପାଢ଼ୀ ଏସ୍ଓପିରେ ଦର୍ଶାଇଛନ୍ତି, ଜନଗଣନା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍ୟୁମେରେଟର ଓ ସୁପରଭାଇଜର (ଇଆଣ୍ଡଏସ୍) ମାନେ ସବୁବେଳେ ତାଙ୍କର ଆଧାରକାର୍ଡ ପିନ୍ଧିବାକୁ ପଡ଼ିବ। କ୍ଷେତ୍ରସ୍ଥଳରେ କାର୍ଯ୍ୟ ସମୟରେ ସେମାନେ ନିଯୁକ୍ତି ପତ୍ର ପାଖରେ ରଖିବେ। ଗ୍ରୀଷ୍ମପ୍ରବାହ ଅତ୍ୟଧିକ ଯୋଗୁ ଅଂଶୁଘାତ ଏଡ଼ାଇବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବେ। ଦିନ ୧୧ଟାରୁ ୩ଟା ମଧ୍ୟରେ ଜନଗଣନା କାର୍ଯ୍ୟରୁ ନିବୃତ ରହିବେ ଏବଂ ପାଖରେ ଓଆର୍ଏସ୍ ନେବେ। ସମ୍ବେଦନଶୀଳ ଅଞ୍ଚଳରେ ଇଆଣ୍ଡଏସ୍ମାନେ ସୁରକ୍ଷା ପାଇଁ ସମ୍ମିଳିତ ହୋଇ କାମ କରିିବେ। ଯଦି କୌଣସିଠାରେ ଜନଗଣନାବେଳେ ବିପଦ ଆଶଙ୍କା କରିବେ ସେ ସ୍ଥାନକୁ ଚିହ୍ନଟ କରି ସୁରକ୍ଷାବଳ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଯିବେ। ସୁପରଭାଇଜରମାନେ ଏନ୍ୟୁମେରେଟରମାନଙ୍କୁ ଟ୍ରାକ୍ କରି କାମର ଗତିବିଧି ଜାଣିପାରିବେ ଏବଂ ସୁରକ୍ଷା ଯୋଗାଇଦେବେ। ଯଦି କୌଣସି ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଲା ତେବେ ତୁରନ୍ତ ସେଠାରୁ ହଟିଯିବେ କିମ୍ବା ସମସ୍ୟାକୁ ଏଡ଼ାଇବା ପାଇଁ ଚେଷ୍ଟା କରିବେ। ଏପରି ଘଟଣାକୁ ଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ଡ. ପାଢ଼ୀ ଦର୍ଶାଇଛନ୍ତି, ସ୍ଥାନୀୟ ପୋଲିିସ୍ ଅଧିକାରୀଙ୍କୁ ଇଆଣ୍ଡଏସ୍ମାନେ ସେମାନଙ୍କ ବିବରଣୀ ଦେବେ। ଜିଲା ପ୍ରଶାସନ ଦ୍ୱାରା ସମସ୍ତ ପୋଲିସ୍ ଥାନାକୁ ଏନ୍ୟୁମେରେଟରମାନଙ୍କ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜଣାଇବେ। ସମ୍ବେଦନଶୀଳ ଅଞ୍ଚଳ ତଥା ପୂର୍ବ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପୋଲିସ୍ କର୍ମଚାରୀଙ୍କ ସହିତ ଇଆଣ୍ଡଏସ୍ମାନେ ଯାଇ ଜନଗଣନା କରିବେ। ଜଣେ ପୋଲିସ ଅଫିସର ଏହି କାର୍ଯ୍ୟରେ ସେମାନଙ୍କୁ ସହଯୋଗ କରିବେ। ଜନଗଣନା କାମ ଆରମ୍ଭ ପୂର୍ବରୁ ଇଆଣ୍ଡଏସ୍ମାନେ ସ୍ଥାନୀୟ ସମୁଦାୟ ନେତାମାନଙ୍କୁ ସମ୍ପର୍କ କରି ସହଯୋଗ ନେଇପାରିବେ। ଏହି ସମୟରେ ଯଦି କୌଣସି ବ୍ୟକ୍ତି ଜନଗଣନା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ ୧୯୪୮ର ସଂଶୋଧିତ ଜନଗଣନା ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅପରାଧ ପାଇଁ ଅର୍ଥଦଣ୍ଡ କିମ୍ବା ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ଡ. ପାଢ଼ୀ ଏସ୍ଓପିରେ ଦର୍ଶାଇଛନ୍ତି।