୩ ବର୍ଷ ବିତିଲା, ଚାଷୀଙ୍କୁ ମିଳିନି ଧାନ ବିକ୍ରି ଟଙ୍କା

ବେହେରା,୨।୩(ଡି.ଏନ.ଏ.):୩ ବର୍ଷ ପରେ ବି ଧାନ ବିକ୍ରି ଟଙ୍କା ଚାଷୀଙ୍କୁ ମିଳିନି। ଏଭଳି ଘଟଣା ସମ୍‌ାନକୁ ଆସିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପାକ୍ସ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମରେ। ଗ୍ରାମର ଚାଷୀ ଯୁଗେଶ୍ୱର ଚନ୍ଦନ ଫାର୍ମର କାର୍ଡ ନ-ଏଫ ୧୫୦୨୦୦୦୩୭୮୧ କ୍ରମିକ ନ-୪୧୪ ଅନୁଯାୟୀ ୧୦।୧।୨୦୨୧ ବେହେରା ପାକ୍ସରେ ଧାନ ବିକ୍ରୟ କରିଥିଲେ। ମୋଟ ୨୯ କୁଇଟାଲ ୧୦ କେଜି ଧାନ ବିକ୍ରି ହୋଇଥିଲେ ମଧ୍ୟ ଆଜି ଯାଏ ଟଙ୍କା ପାଇନ ଥିବା ଅଭିଯୋଗ ହେଉଛି। ଏ ନେଇ ପାକ୍ସ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ଯୋଗାଣ ଅଧିକାରୀ ଧର୍ମଗଡ ଉପନିବନ୍ଧକଙ୍କୁ ଜଣାଇଥିଲେ ହିଁ ତାଙ୍କ ଜମା ଖାତାରେ ଟଙ୍କା ଜମା ହୋଇନାହିଁ। ଶେଷରେ ଜିଲାପାଳଙ୍କ ନିକଟରେ ୨ ଥର ଫେରାଦ ହୋଇ ନିରାଶ ହୋଇପଡିଛନ୍ତି। ବର୍ଷସାରା ପରିଶ୍ରମ ସହ ଟଙ୍କା ଖର୍ଚ୍ଚ କରି ଜମିରେ ହଲ କରିବାଠାରୁ ରୁଆ ବେଉସା କରି ଧାନ ଉପାର୍ଜନ କରିଥିଲେ। ଧାନ ମଣ୍ଡିରେ ବିକ୍ରି କରି ଦି ପଇସା ପାଇ ପରିବାର ପ୍ରତିପୋଷଣ କରିବା ଆଶାବାନ୍ଧି ଥିବା ଚାଷୀଙ୍କ ଟଙ୍କା ନ ପଡିବା ଘଟଣା ପାକ୍ସ କର୍ମଚାରୀଙ୍କ ଅବହେଳା ବା ତ୍ରୁଟିପୂର୍ଣ୍ଣତା ଯୋଗୁ ଏଭଳି ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ମଣ୍ଡିର ଅବ୍ୟବସ୍ଥା, ୫ରୁ ୭ କେଜି କଟନୀ, ମିଲର୍ସ, ଏଜେଣ୍ଟଙ୍କ ମନମୁଖୀ ଭିତରେ ଛନ୍ଦିପଡେ ଚାଷୀ। ଏସବୁ ସମସ୍ୟାରେ ବି ଉପାର୍ଜନ ଧାନ ମଣ୍ଡିରେ ବିକ୍ରି କରି ବର୍ଷ ବର୍ଷ ଧରି ଟଙ୍କା ନ ମିଳିବା ଦୁଃଖରେ ଭାଙ୍ଗିପଡିଛନ୍ତି ଯୁଗେଶ୍ୱର। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ସ୍ଥିତିରେ ଟଙ୍କା ଜମା ନ ହେଲେ ପରିବାର ସହ ପାକ୍ସ କାର୍ଯ୍ୟାଳୟଠାରେ ଅନଶନରେ ବସିବାକୁ ପରିବାର ଲୋକେ ଚେତାବନୀ ଦେଇଛନ୍ତି। ଏ ନେଇ ଧର୍ମଗଡ ଉପନିବନ୍ଧକ ଅଧିକାରୀ ମିତ୍ର ଭାନୁ ବିଶ୍ୱାଳଙ୍କୁ ପଚାରିବାରୁ ନୂତନ ଭାବେ ଯୋଗଦେଇଥିବାରୁ ଦେଖିବାକୁ ପଡିବ। ଯଦି ଏଭଳି ହୋଇଛି, ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।