ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ

କର୍ଲାମୁଣ୍ଡା,୯ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ୧୯୫୫ରେ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୨ଟି ଓ୍ବାର୍ଡରେ ମୋଟ୍‌ ୩୨୮୨ ଭୋଟର ଅଛନ୍ତି। ତେବେ ବର୍ତ୍ତମାନ ୧୨ଟି ଓ୍ବାର୍ଡରୁ ୮ଟି ଓ୍ବାର୍ଡରେ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ୪ଟି ଓ୍ବାର୍ଡରେ ଅପ୍ରତିଦ୍ୱନ୍ଦ୍ୱୀ ରହିଛି। ଅନ୍ୟ ପଟେ ସରପଞ୍ଚ ପଦବୀ ପାଇଁ ତିନି ମହିଳା ପ୍ରାର୍ଥିନୀଙ୍କ ମଧ୍ୟରେ ଖବରଦାତା ସ୍ବର୍ଗତ ରାଜୀବଲୋଚନ ରଣାଙ୍କ ପୁତ୍ରବଧୂ ପୂଣ୍ୟପ୍ରଭା ରଣା, କଣ୍ଟାମାଳ ବିଧାୟକଙ୍କ ଝିଅ ସେବତୀ ରଣା, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ରଣାଙ୍କ ସ୍ତ୍ରୀ ସୁଶାନ୍ତି ରଣା ବୁଲିବୁଲି ଭୋଟ୍‌ ଭିକ୍ଷା କରୁଥିବାବେଳେ ଅନ୍ୟ ୩ ପୁରୁଷ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ଜୈନ, ନାଏବ ସରପଞ୍ଚ କୈଳାସ ପାତ୍ର, ଓ ଅନୁ ରଣା ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି। ତେବେ ପୁରୁଷ ପ୍ରାର୍ଥୀଙ୍କଠାରୁ ତିନି ମହିଳା ପ୍ରାର୍ଥିନୀ ପ୍ରଚାର ପ୍ରସାରରେ ଆଗରେ ଥିବା ସୂଚନା ମିଳିଛି। ଠିକ୍‌ ସେହିପରି ଏହି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଆଶୁତୋଷ ଦାଶ, କୃଷ୍ଣଚନ୍ଦ୍ର ସାହୁ, ବିଶ୍ୱ ଦୀପକ ପାତ୍ର, ମାର୍କଣ୍ଡ ସାହୁ, ନିମାଇଁ ଚରଣ ବେହେରା ପ୍ରମୁଖ ୫ ପ୍ରାର୍ଥୀ ରହିଛନ୍ତି।