୨୮୫ ପିଲାଙ୍କୁ ୩ ଶିକ୍ଷକ

ନାଉଗାଁ,୨୯ା୭(ସ୍ବ.ପ୍ର): ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୧ରେ ସ୍ଥାପନ ହୋଇଥିଲା। ଏହି ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନୂତନ ରୂପରେଖ ଦିଆଯାଇଛି। ବିଦ୍ୟାଳୟରେ ପାଠ ପଢିବା ପାଇଁ ଇ-ଲାଇବ୍ରେରି,୨ଟି ସ୍ମାର୍ଟ କ୍ଲାସ,ଗୋଟିଏ କମ୍ପୁଟର ଲାବ ସହ ଶିକ୍ଷାଦାନ ପାଇଁ ଅନେକ ଆନୁଷଙ୍ଗିକ ଉପକରଣ ପ୍ରଦାନ କରାଯାଇଛି । ମାତ୍ର ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଶିକ୍ଷକଙ୍କ ଅଭାବ ରହିଛି। ଫଳରେ ପିଲାଙ୍କ ପାଠପଢ଼ାରେ ସମସ୍ୟା ଉପୁଜିଛି।
ବିଦ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟରେ ନବମ ଓ ଦଶମ ୨ଟି ଶ୍ରେଣୀ ରହିଛି। ଏଥିରେ ୬ଟି ସେକ୍ସନ ଥିବା ବେଳେ ଦଶମରେ ୧୪୩ ଓ ନବମରେ ୧୪୨ ପିଲାଙ୍କୁ ମିଶାଇ ୨୮୫ ଜଣ ପାଠ ପଢ଼ୁଛନ୍ତି। କିନ୍ତୁ ପାଠ ପଢାଇବା ପାଇଁ କେବଳ ୩ ଜଣ ଶିକ୍ଷକ ରହିଛନ୍ତି। ପ୍ରଧାନ ଶିକ୍ଷକ ପଦବୀ ମାସେ ହେବ ଖାଲି ପଡ଼ିଛି। ଏଠାରେ ପ୍ରଧାନ ଶିକ୍ଷକ ଭାବେ ନିରଞ୍ଜନ ମହାନ୍ତି କାର୍ଯ୍ୟ କରୁଥିଲେ। ସେ ଅବସର ନେବା ପରେ ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଦାୟିତ୍ୱରେ ରହିଛନ୍ତି। ସେହିପରି ବିଦ୍ୟାଳୟରେ ସମୁଦାୟ ପଦବୀ ସଂଖ୍ୟା ୧୧ ରହିଥିବା ବେଳେ ସେଥିମଧ୍ୟରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ୭ଟି ପଦବୀ ଖାଲି ରହିଛି। ବିଦ୍ୟାଳୟରେ ୪ ଜଣ କଳା ଶିକ୍ଷକ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୨ ଜଣ ରହିଛନ୍ତି। ଏହି ୨ ଜଣଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଥିବାରୁ ପାଠପଢାରେ ବାଧା ଉପୁଜିଛି। ସେହିପରି ଗଣିତ ଓ ବିଜ୍ଞାନରେ ୫ ପଦବୀ ରହିଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଦୀର୍ଘ ୬ ମାସ ହେବ ଖାଲି ରହିଛି। ସେହିପରି ୨୦୧୯ ଡିସେମ୍ବରରୁ ଶିକ୍ଷକ ପଦବୀଗୁଡ଼ିକ ଖାଲିଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜ୍ଞାନ, ଗଣିତ, ଇଂଲିଶ୍‌ ପରି ବିଷୟରେ ଅଧିକାଂଶ ପିଲା ଦୁର୍ବଳ ରହୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଢାଇବା ପାଇଁ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ୬ଟି ସେକ୍ସନରୁ କେବଳ ୩ ଶିକ୍ଷକ ୩ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଏହି ସମୟରେ ଅନ୍ୟ ଶ୍ରେଣୀଗୁଡିକରେ ପିଲା ଖାଲିରେ ବସି ରହୁଛନ୍ତି। ବିଦ୍ୟାଳୟରେ କମ୍ପ୍ୟୁଟର ଲାବ ନାମକୁ ମାତ୍ର ରହିଛି। ତେଣୁ ପିଲାମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏବିଷୟରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।