ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ୧୯୬୯ରେ ସ୍ଥାପିତ ଏହି ବିଦ୍ୟାଳୟ ଦୀର୍ଘ ଦଶନ୍ଧି ଧରି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିଆସୁଛି। ବର୍ତ୍ତମାନ ଆବଶ୍ୟକ ଶିକ୍ଷକଙ୍କ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୭୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଉଚିତ ପାଠପଢ଼ା ଓ ପରିଚାଳନା ପାଇଁ ଅତିକମରେ ୭ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଫଳରେ ଗୋଟିଏ ଶ୍ରେଣୀରେ ଶିକ୍ଷାଦାନ ଚାଲିଥିବା ବେଳେ ଅନ୍ୟ ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଯାହା ଶିକ୍ଷା ବ୍ୟବସ୍ଥାର ଚିତ୍ରକୁ ପଦାରେ ପକାଇଛି।
ବିଦ୍ୟାଳୟରେ ତୁରନ୍ତ ଖାଲିପଡ଼ିଥିବା ଶିକ୍ଷକ ପଦବି ଗୁଡ଼ିକୁ ପୂରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର କୌଣସ ସମାଧାନ ହୋଇନାହିଁ। ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ ମୁର୍ମୁ କହିଛନ୍ତି, ୭ ଦିନ ମଧ୍ୟରେ ବିଦ୍ୟାଳୟକୁ ଶିକ୍ଷକ ଦିଆଯିବ।