୩ ପ୍ରତିମୂର୍ତ୍ତି ଅନାବରଣ

ଢେଙ୍କାନାଳ ଅଫିସ, ୩।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ ପରିସରରେ ରବିବାର ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀ ଏବଂ ଜିଲା କାର୍ଯ୍ୟାଳୟ ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅନାବରଣ ହୋଇଛି। ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲାପାଳ ସରୋଜ କୁମାର ସେଠୀ, ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ, କାଉନ୍‌ସିଲର ସନ୍ଦୀପ କୁମାର ଷଡ଼ଙ୍ଗୀ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ‘ନନ୍ଦିନୀ ଦେବୀ ଅମର ରହେ’ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ଏହି ଉପଲକ୍ଷେ ସକାଳ ୭ଟାରେ ବସ୍‌ଷ୍ଟାଣ୍ଡ ଗାନ୍ଧୀ ପାର୍କସ୍ଥିତ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ ସହ ସର୍ବଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା। ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଜିଲା ପ୍ରଶାସନର ସହାୟତାରେ ପ୍ରତିମୂର୍ତ୍ତିଗୁଡ଼ିକ ସ୍ଥାପନ କରାଯାଇଛି। ସହରକୁ ସରସ ସୁନ୍ଦର କରିବା ପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ, ସହରରେ ନନ୍ଦିନୀ ଦେବୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନର ଉଦ୍ୟମରେ ସହରବାସୀଙ୍କ ଆଶା ପୂରଣ ହୋଇଥିବାରୁ ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।