ଯାତ୍ରୀ ଅଭାବରୁ ବନ୍ଦ ହେବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୮ା୭(ବ୍ୟୁରୋ): ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନ ଥିବାରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ବନ୍ଦ କରାଯିବ। ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଭିତରେ ଜରୁରିକାଳୀନ ଯାତାୟାତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜୁନ ୮ରୁ ୩୦ ତାରିଖ ମଧ୍ୟରେ ସ୍ବତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ରେଳସେବାକୁ ଜୁଲାଇ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଯାତ୍ରୀ ପରିବହନ ପରିଚାଳନାକୁ ସମୀକ୍ଷା କରି ଏବଂ ରାଜ୍ୟରେ କରୋନା ପଜିଟିଭ୍‌ କେସ୍‌ର ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍‌ ଯାତ୍ରୀ ହେଉଥିବା ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ବନ୍ଦ କରାଯାଇଛି। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଏବଂ ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ମାର୍ଗରେ ପରିଚାଳିତ ସ୍ବତନ୍ତ୍ର ରେଳସେବାକୁ ବାତିଲ କରାଯିବ। ସପ୍ତାହକୁ ୩ ଥର ଚଳାଚଳ କରୁଥିବା ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌ ଉଭୟ ଦିଗରୁ ଜୁଲାଇ ୧୦ ତାରିଖଠାରୁ ବାତିଲ ହେବ। ସେହିଭଳି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରୁ ଜୁଲାଇ ୧୩ ଏବଂ ଭଦ୍ରକରୁ ୧୪ ତାରିଖରୁ ବାତିଲ ହେବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରୁ ଜୁଲାଇ ୧୩ ଏବଂ ବ୍ରହ୍ମପୁରରୁ ୧୪ ତାରିଖରୁ ବାତିଲ ରହିବ।