ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍‌ର ଗତପଥ ପରିବର୍ତ୍ତନ କରାଯାଇଛି। ତେଣୁ ଉଭୟ ରେଳପଥର ସମନ୍ବୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏବେ ବିଶେଷକରି ପୁରୀରୁ ହାଓଡ଼ା ମଧ୍ୟରେ ବିଭିନ୍ନ ଷ୍ଟେଶନରେ ଯାତ୍ରୀମାନେ ଅଟକି ରହିଛନ୍ତି। ତେଣୁ ଏହି ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ପୂର୍ବତଟ ରେଳପଥ ହାଓଡାକୁ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ୦୨୮୦୧ ପୁରୀ-ହାଓଡ଼ା ସ୍ପେଶାଲ ଟ୍ରେନ, ଯାହା ପୁରୀରୁ ରାତି ୭ଟାରେ ଛାଡି ଯାଜପୁର-କେନ୍ଦୁଝରରୋଡ୍‌-ଡାଙ୍ଗପୋଷି-ଖଡଗପୁର ମାର୍ଗ ଦେଇ ଚାଲିବ। ଏହି ଟ୍ରେନଟି ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁର, ହରିଚନ୍ଦନପୁର, ଡୋଙ୍ଗୋପୋସି, ଟାଟା ଓ ଖଡ଼ଗପୁର ଦେଇ ହାଓଡାକୁ ଯିବ। ଏହି ଟ୍ରେନରେ ୨ ସ୍ଲିପର କ୍ଲାସ, ୬ଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର୍‌ ଏବଂ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍‌ ସଂଯୋଗ କରାଯାଇଛି। ଦ୍ୱିତୀୟ ଟ୍ରେନଟି ରାତି ୯ ଟାରେ ପୁରୀ ଷ୍ଟେଶନରୁ ହାଓଡ଼ା ଅଭିମୁଖେ ବାହାରିବ। ଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର, ଝାରସୁଗୁଡା, ରାଉରକେଲା, ଚକ୍ରଧରପୁର, ଟାଟା, ଖଡ଼ଗପୁର ଦେଇ ହାଓଡାରେ ପହଞ୍ଚତ୍ବ। ଏଥିରେ ୧୧ଟି ଦ୍ୱିତୀୟ ଶ୍ରେଣୀ, ଦୁଇଟି ଏସି ଚେୟାର କାର୍‌ ଓ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍‌ ରହିଛି। ସେହିପରି ତୃତୀୟ ଟ୍ରେନ୍‌ଟି ପୁରୀ ଷ୍ଟେଶନରୁ ରାତି ୧୦ଟାରେ ଯାତ୍ରାରମ୍ଭ କରିବ। ଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, ଡାଙ୍ଗପୋଷି, ଟାଟା ଓ ଖଡ଼ଗପୁର ହୋଇ ହାଓଡାରେ ପହଞ୍ଚତ୍ବ।