ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ୩୦ ତାରିଖରୁ ମେ’ ୯ ତାରିଖ ପର୍ଯ୍ୟନ୍ତ କେବଳ ବ୍ୟାକ୍‌ ପେପର ଦେବାକୁ ଥିବା ଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ରେଗୁଲାର ଛାତ୍ରୀଙ୍କ ପରୀକ୍ଷା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଏ ନେଇ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାନୁଯାସାରେ, ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରୀଙ୍କ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରୀମାନେ ଦାବି କରିଥିଲେ।