ଢେଙ୍କାନାଳ, ୮।୮ରତନ ନାୟାର): ଢେଙ୍କାନାଳ ସହରରେ ଥିବା ୩ ପ୍ରମୁଖ ହୋଟେଲରେ ମଙ୍ଗଳବାର ରାତି ୧୦ଟାରେ ପୋଲିସ ଅଚାନକ ଚଢ଼ାଉ କରିଛି। ଏକ ହୋଟେଲରୁ ୨ ଯୋଡ଼ା ଅବିବାହିତ ଯୁବତୀଯୁବକଙ୍କୁ ଥାନାକୁ ଆଣି ପୋଲିସ ଅଟକ ରଖିଛି। ସେମାନେ କଟକ, ହିନ୍ଦୋଳ ଏବଂ କାମାକ୍ଷାନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ କେଉଁ ପରିସ୍ଥିତିରେ ଏବଂ କେଉଁ ପରିଚୟରେ ରହୁଥିଲେ, ତାହାର ତଦନ୍ତ କରାଯାଉଛି।
ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରୁ କାଗଜପତ୍ର ଜବତ କରି ଯାଞ୍ଚ ପାଇଁ ନିଆଯାଇଛି। ଏହାପରେ ଦକ୍ଷିଣକାଳୀ ରୋଡ୍ ଅଞ୍ଚଳର ଅନ୍ୟ ଏକ ହୋଟେଲକୁ ଯାଞ୍ଚ କରାଯାଇଥିଲା। ଏସ୍ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ଗଠିତ ୩ ପୋଲିସ ଟିମ୍ ଏଥିରେ ସାମିଲ ହୋଇଥିଲେ। ଏସ୍ଡିପିଓ ବିଭୂତି ଭୂଷଣ ମହାପାତ୍ର, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ମହିଳା ଇନ୍ସପେକ୍ଟର କଳ୍ପନା ବେହେରା ପ୍ରମୁଖଙ୍କୁ ନେଇ ଗଠିତ ପୋଲିସ ଟିମ୍ ଚଢ଼ାଉ କରିଥିଲା। ସମ୍ପୃକ୍ତ ହୋଟେଲ୍ଗୁଡ଼ିକ ଗାଇଡ୍ଲାଇନ୍ ପାଳନ କରୁଛନ୍ତି କି ନାହିଁ, ନିୟମ ଅନୁଯାୟୀ ରୁମ୍ ବୁକିଂ ହେଉଛି କି ନାହିଁ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଭଳି ରୁଟିନ୍ ଯାଞ୍ଚ କରାଯାଉଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି।


