ଡେରାଡୁନ୍,୩୧ା୫: ରବିବାର ଉତ୍ତରାଖଣ୍ଡରେ ହଠାତ୍ ପାଗର ପରିବର୍ତ୍ତନ ହୋଇଥିଲା। ଫଳରେ ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଥରାଇ ଦେଇଥିଲା। କେଦାରନାଥରେ ୩ ତୀର୍ଥଯାତ୍ରୀଙ୍କ ପ୍ରାଣହାନି ଘଟିଛି। ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ସ ସେଣ୍ଟର (SEOC) ଅନୁଯାୟୀ, ସାରା ରାଜ୍ୟରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି।
ରୁଦ୍ରପ୍ରୟାଗ ଜିଲାରୁ ସବୁଠାରୁ ଦୁଃଖଦ ଖବର ଆସିଥିଲା। ମେ’ ୩୦ରେ ଗୋଟିଏ ଦିନରେ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟପ୍ରଦେଶର ପାନ୍ନାର ରାମନାଥପୁରର ବାସିନ୍ଦା ଗୋପାଳ ମିଶ୍ର (୭୬) କେଦାରନାଥରୁ ଫେରିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ଫାଟାର ପ୍ରାଥମିକ ସ୍ବାସ୍ଥ୍ୟସ୍କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଗୁଜରାଟର ଅହମ୍ମଦାବାଦର ବାସିନ୍ଦା ନବଘନଜୀ ଲକ୍ଷ୍ମଣଜୀ ଠାକୁର (୫୨)ଙ୍କର ମଧ୍ୟ ତୀର୍ଥଯାତ୍ରାକୁ ଯାଉଥିବା ସମୟରେ ଫାଟାରେ ମୃତ୍ୟୁ ଘଟିଥିଲା। ସେହିପରି ତେଲଙ୍ଗାନାର ହାଇଦ୍ରାବାଦର ବାସିନ୍ଦା ବାଲାଗାନି ବାଲାରାଜୁ (୪୯)ଙ୍କ ମଧ୍ୟ କେଦାରନାଥ ମନ୍ଦିରରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ଫାଟାରେ ପ୍ରାଣହାନି ଘଟିଥିଲା।