ଘାଟି ଉପରୁ ତଳକୁ ଖସିଲା ସ୍କୁଟି: ଚାଲିଗଲା ୩ ଜୀବନ

କୋରାପୁଟ,୨୭ା୯(ଅମିତାଭ ବେହେରା): ସ୍କୁଟି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର କସମ ଘାଟିରେ। ସ୍କୁଟିରେ ଫେରୁଥିଲେ ଗୋଟିଏ ପରିବାରର ୩ଜଣ। ଭାରସାମ୍ୟ ହରାଇ ଏକ ବିରାଟ ପଥରରେ ବାଡ଼େଇ ହେଇ ଛିଟିକି ପଡ଼ିଥିଲେ ଦୁଇଶହ ମିଟର ତଳକୁ। ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ୩ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ମାନ୍ୟମ ଜିଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରାଗ୍ରାମର ଜୟ ରାଜୁ (୧୯) ମାରି ଶିବା(୨୦), ମାଲିକା ବାଲରାଜୁ (୨୧)। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟିଟି ଚୂର୍‌ମାର ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାମ ଦୀର୍ଘ ଏକ ଘଣ୍ଟା ସମୟ ଲାଗିଥିଲା। ରାତି ସାଢ଼େ ୭ଟା ବେଳକୁ ତିନି ମୃତଦେହକୁ ଆମ୍ବୁଲାନ୍ସରେ ଆଣି ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଅନ୍ୟପଟେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାତି ହୋଇଥିବାରୁ ମୃତଦେହ ବ୍ୟବଚ୍ଛେଦ ଆସନ୍ତାକାଲି କରାଯିବ ବୋଲି ସୂଚନା ମିଳିଛି। ଏପରି ଦୁଃଖଦ ଘଟଣାରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛନ୍ତି।