ଚୋର ଗ୍ୟାଙ୍ଗର ମୁଖ୍ୟଙ୍କ ସମେତ ଆଉ ୩ ଗିରଫ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ, (ଡି.ଏନ୍‌.ଏ.)୨୩ା୮:ରାଜଧାନୀରେ ବିଳମ୍ବିତ ରାତିରେ ବିଭିନ୍ନ ଘରର ଝରକା ତାଡ଼ି ଚୋରି କରୁଥିବା ଗ୍ୟାଙ୍ଗର ଆଉ ୩ ସଦସ୍ୟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ୩ ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ଚନ୍ଦକା ପୋଲିସର ଏକ ମିଳିତ ଟିମ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ କଟକ ଜିଲା ବାଙ୍କି ଥାନା ଅଞ୍ଚଳର ଗ୍ୟାଙ୍ଗ ମୁଖ୍ୟ ବିଜୟ ସାହୁ (୩୦), ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାରରେ ରହୁଥିବା ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଦୁଖିଶ୍ୟାମ ନାୟକ ଓରଫ ମୁଶା (୨୦) ଓ ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିରେ ରହୁଥିବା କଟକ ଜିଲା କଣ୍ଟେନମେଣ୍ଟ ଥାନା ବକ୍ସିବଜାର ସୂତାହାଟର ସୟଦ୍‌ ଫୟାଜ୍‌ (୩୦)। ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ଟଙ୍କା, ୭.୫ ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ମାମଲା (ନଂ.୧୪୯/୨୦୨୨)ରେ ଚନ୍ଦକା ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ନାମରେ ଭୁବନେଶ୍ୱର ୟୁପିଡିରେ ଥିବା ଚନ୍ଦକା ଓ ବାଲିଅନ୍ତା ଥାନା ସମେତ ଅନ୍ୟାନ୍ୟ ଥାନାରେ ୧୩ରୁ ଅଧିକ ମାମଲା ରହିଛି। ଗତ ଜୁଲାଇ ଶେଷ ସପ୍ତାହରେ ଏହି ମାମଲାରେ ଗ୍ୟାଙ୍ଗର ୩ ସଦସ୍ୟ ଏବଂ ସେମାନଙ୍କ ୩ ସହଯୋଗୀଙ୍କୁ ଚନ୍ଦକା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ସେମାନଙ୍କ ଠାରୁ ୫ ଲକ୍ଷ ୮୫ ହଜାର ନଗଦ ଟଙ୍କା, ୭ ଲକ୍ଷ ଟଙ୍କାର ୧୪୦ ଗ୍ରାମ ସୁନା ଅଳଙ୍କାର, ୧୦୦ ଗ୍ରାମର ରୁପା ଅଳଙ୍କାର, ଚୋରିରେ ବ୍ୟବହୃତ ଅଟୋ ଏବଂ ଚୋରି ମୋବାଇଲ ଆଦି ଜବତ କରାଯାଇଥିଲା।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଟୋରେ ବୁଲି ଘରେ କେହି ନ ଥିବା ବେଳେ ଝରକାକୁ ତାଡ଼ି ଚୋରି କରୁଥିଲେ। ସୁନା ଗହଣା ଆଦି ସହଯୋଗୀଙ୍କ ଦ୍ୱାରା ବିକ୍ରି କରୁଥିଲେ। ଗତ ଜୁନ ୨୪ ବିଳମ୍ବିତ ରାତିରେ ବାଳକାଟିର ସାମ୍ବାଦିକ ମନୋଜଙ୍କ ତଳ ମହଲା ଘରର ଝରକା ତାଡ଼ି ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ନେଇଯାଇଥିଲେ। ସେହିପରି ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବରିଷ୍ଠ ନାଗରିକ ସତ୍ୟନାରାୟଣ ମିଶ୍ରଙ୍କ ଘରର ଝରକା ତାଡ଼ି ଅଳଙ୍କାର ଓ ନଗଦ ଟଙ୍କା ମିଶାଇ ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ନେଇଯାଇଥିଲେ। ପୋଲିସ (ନଂ.୧୪୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗ୍ୟାଙ୍ଗର ୩ ସଦସ୍ୟଙ୍କ ସମେତ ଚୋରି ସାମଗ୍ରୀ ବିକ୍ରି କରୁଥିବା ୩ ଜଣ ସହଯୋଗୀଙ୍କୁ ଗିରଫ କରି ଜୁଲାଇ ୨୯ରେ କୋର୍ଟ ଚାଲାଣ କରିଥିଲା। ତେବେ ବିଜୟ, ମୁଶା ଓ ସୟଦ୍‌ ଚେନ୍ନାଇ ଚାଲିଯାଇଥିଲେ। ତେବେ ଏମାନେ ଚନ୍ନାଇରୁ ଆସି ଚନ୍ଦକା ଅଞ୍ଚଳରେ ଏକତ୍ରିତ ହୋଇଥିବା ଖବର ମିଳିବା ପରେ ରବିବାର ପୋଲିସ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା।