ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି।
ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲା ରାବାଘାଟ ଥାନା କସରଣ୍ଡା ଜଙ୍ଗଲରେ ଏକ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ମିଳିବା ପରେ ଡିଆର୍‌ଜି, ସିଆରପିଏଫ୍‌ ଓ ଏସଏସବି-୩୩ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଜଙ୍ଗଲକୁ ପୋଲିସ ଆସିଥିବା ସୂଚନା ପାଇ ମାଓବାଦୀମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପରେ ପୋଲିସ ଏହାର ପ୍ରଭାବୀ ଜବାବ ଦେଇଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ତଲାସୀ ବେଳେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ଜଣ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା ବୋଲି ଏସଏସବି ଡିଆଇଜି ବି. ବିକ୍ରମନ୍‌ ସୂଚନା ଦେଇଛନ୍ତି।