କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ ଯୁବଛାତ୍ର ନେତାମାନେ ସମୂହ ଇସ୍ତଫା ଦେଇଥିବାବେଳ ନିକଟରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦୌଡରେ ବୁଧବାର ଆଉ ୩ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ ପୂର୍ବତନ ଡେପୁଟି ମେୟର ତଥା ପୂର୍ବତନ ବିଜେଡି କଟକ ନଗର ସଭାପତି ମଧୁସୂଦନ ସାହୁ, ବିଜେଡି ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ ଓ ପୂର୍ବତନ କର୍ପୋରେଟର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ କଟକ ସିଟି ସଂଯୋଜକ ଡ. ରଞ୍ଜନ ବିଶ୍ୱାଳ। ସେମାନେ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ବିଜେଡି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିବାବେଳେ ଦଳ ସେମାନଙ୍କୁ କୋଣଠେସା କରିବା ସହ ଅଣଦେଖା କରୁଥିଲା। ମୁଖ୍ୟତଃ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦୋଷ ଦେବା ସହ ଠିକ୍ ଭାବେ ଦଳ ପରିଚାଳନା ହେଉ ନ ଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ କଟକରେ ବିଜେଡି ସ୍ଥିତି ଠିକ୍ ନ ଥିବାବେଳେ ଏଭଳି ପୁରୁଖା ନେତାଙ୍କ ସହ କର୍ମୀମାନେ ଦଳ ଛାଡ଼ିବା ଦଳ ପାଇଁ ସ୍ଥିତି ଟଳମଳ ହେଉଛି।