ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ

ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି, ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଓ ପ୍ରମୋଦ କୁମାର ପ୍ରଧାନ।
୩ ଜଣ ଯନ୍ତ୍ରୀ ଅଫିସ୍‌ ଗାଡ଼ି(ଓଡି-୨୪ଏ-୩୩୨୮)ରେ ଟଙ୍କା ନେଇ ଉମରକୋଟ ଯାଉଥିବା ନବରଙ୍ଗପୁର ଭାରପ୍ରାପ୍ତ ଭିଜିଲାନ୍ସ ଡିଏସ୍‌ପି କଳାବତି ବାଗ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ବାଗଙ୍କ ସମେତ ଜୟପୁର ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଇନ୍ସିପେକ୍ଟର ବିନୟ କୁମାର ରୟ, କନଷ୍ଟେବଳ ଅଜିତ ପାଢ଼ୀ ପ୍ରମୁଖ ଏକ ଟିମ୍‌ ଗଠନ କରି ପାପଡାହାଣ୍ଡି ଡିୟର ପାର୍କ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ି ଭିତରେ ଥିବା ଗୋଟିଏ ବ୍ୟାଗରୁ ୩ ଲକ୍ଷ ୯ ହଜାର ୪ ଶହ ଟଙ୍କା ମିଳିଥିଲା। ଟଙ୍କା ସବୁ ନିଜର ବୋଲି ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ କହିଥିଲେ। ତେବେ ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଉଠାଣ ହୋଇଛି ଓ କାହା ପାଖକୁ ଯାଉଥିଲା ଭିଜିଲାନ୍ସ ବିଭାଗ ତାହାର ଖୋଳତାଡ଼ କରୁଛି। ସନ୍ଧ୍ୟା ପରେ ବ୍ୟାଙ୍କ ବନ୍ଦ ଥିବାରୁ ଶୁକ୍ରବାର ଅଧିକ ତଦନ୍ତ କରାଯିବ। ୩ ଯନ୍ତ୍ରୀଙ୍କୁ ଅଟକ ରଖାଯାଇଛି ବୋଲି ସୂଚନା ମିଳିଛି।