ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନଗିରି,୩୧ା୩: ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲା ବାସେଗୁଡ଼ା ଥାନା ଅନ୍ତର୍ଗତ ଚିନାତେରେମ ଗ୍ରାମର ମଇନୁ ଓରଫ ଶମ୍ଭୁ ଦୋଡି (୨୫), ଗାଙ୍ଗୁଲୁର ଥାନା ଅନ୍ତର୍ଗତ କର୍ନାଲ ଗ୍ରାମର ରାମା ଆପକା (୨୫) ଏବଂ ମାଲକାନଗିରି ଜିଲା ଜୋଡାମ୍ବ ପଞ୍ଚାୟତ ବେଜିଙ୍ଗି ଗ୍ରାମର ରଘୁ ଖରା (୨୧) ବୋଲି ଆୟୋଜିତ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି ହ୍ରିଶିକେଷ ଡି. ଖିଲାରି ସୂଚନା ଦେଇଥିଲେ।
ପ୍ରକାଶ ଯେ, ମଇନୁ ୨୦୦୯ରେ ସିପିଆଇ (ମାଓବାଦୀ)ରେ ସାମିଲ ହୋଇ ସ୍ବଦେଶ ଏରିଆ ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ବତ୍ତର୍ର୍ମାନ ସେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମିଲିଟାରି ପ୍ଲାଟୁନରେ କାର୍ଯ୍ୟରତ ଥିଲେ। ତାଙ୍କ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କର୍ନାଲ ଗ୍ରାମର ରାମା ମଧ୍ୟ ଜାଗୁରକୋଣ୍ଡା ସିପିଆଇ(ମାଓବାଦୀ) ସଙ୍ଗଠନରେ ୨୦୦୯ରୁ ସାମିଲ ହୋଇ ସ୍ବଦେଶ ଏରିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପାଇଁ ମଧ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ରଘୁ ୨୦୧୭ରେ ଗୁମ୍ମା ଏରିଆ କମାଣ୍ଡର ଭାବେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ତାଙ୍କ ଲାଗି ମଧ୍ୟ ଓଡ଼ିଶା ସରକାର ୧ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ବର୍ତ୍ତମାନ ମାଓବାଦୀ ସଙ୍ଗଠନରେ ପୂର୍ବ ଆଦର୍ଶ ଆଉ ନାହିଁ। ମହିଳା ମାଓବାଦୀଙ୍କ ଉପରେ ଅତ୍ୟାଚାର କରାଯାଉଛି। ମାଓବାଦୀ କମାଣ୍ଡାରଙ୍କ ଉପରେ ବରିଷ୍ଠ ମାଓବାଦୀ ନେତାମାନେ ଅତ୍ୟାଚାର ଚଳାଇଛନ୍ତି। ନିରୀହ ଆଦିବାସୀଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଉଛି। ଏହାର ପ୍ରତିବାଦରେ ସେମାନେ ମାଓବାଦୀଙ୍କ ହାତ ଛାଡ଼ି ଆତ୍ମସମର୍ପଣ କରିଥିବା ଏହି ୩ ମାଓବାଦୀ କହିଛନ୍ତି। ଅନ୍ୟପକ୍ଷରେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତିରେ ସାମିଲ କରି ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।