ପର୍ସ ଫେରାଇଲେ ୩ ବନ୍ଧୁ

ପିପିଲି,୬।୧୨(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଜଣେ ଅବସରପ୍ରାପ୍ତ ସୈନିକଙ୍କ ହଜିଥିବା ପର୍ସ ୩ଜଣ ବନ୍ଧୁ ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଅବସରପ୍ରାପ୍ତ ସୈନିକ ଧନଞ୍ଜୟ ଆଚାର୍ଯ୍ୟ ରବିବାର ପୂର୍ବାହ୍ନରେ ପୁରୀ ଯିବା ବାଟରେ ପିପିଲି ବଜାରରେ ନିଜର ଟଙ୍କା ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଥିବା ଏକ ମନିପର୍ସ ହଜାଇ ଦେଇଥିଲେ। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ୩ଜଣ ସାଙ୍ଗ ସୋମନାଥ, ସଂଗ୍ରାମ ଏବଂ ସୌମ୍ୟରଞ୍ଜନ ପର୍ସକୁ ପାଇ ପିପିଲି ଥାନାରେ ଜିମା ଦେଇଥିଲେ। ଏଏସ୍‌ଆଇ ଆଲ୍ଫା ରାଣୀ ସାମଲ ପର୍ସରୁ ମୋବାଇଲ ନମ୍ବର ସଂଗ୍ରହ କରି ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ସେ ଥାନାରେ ପହଞ୍ଚି ପର୍ସରେ ୬୩୫୦ଟଙ୍କା ଏବଂ ଅନ୍ୟାନ୍ୟ ଜରୁରୀ ଡକ୍ୟୁମେଣ୍ଟ ନେଇଥିଲେ। ଏହାପରେ ଆଚାର୍ଯ୍ୟ ଏଏସ୍‌ଆଇ ୩ବନ୍ଧୁଙ୍କୁ ଧନ୍ୟବାଦ ଦେଇଥିଲେ।