ଦେଭୋଗ-ଦେଉଳା ରାସ୍ତାରେ ୩ଫୁଟ୍‌ର ପାଣି

ଲଙ୍ଗଳେଶ୍ୱର, ୩୦।୬(ଡି.ଏନ.ଏ.)-ଅସରାଏ ବର୍ଷା ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଦେଭୋଗ ବିବି ରୋଡ଼ଠାରୁ ଦେଉଳା ହାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପାଣି ଜମି ରହୁଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଏବଂ ଯନ୍ତ୍ରୀମାନେ ସରକାରୀ ଅର୍ଥକୁ ଠିକ୍‌ ଭାବେ ଉପଯୋଗ କରି ନ ଥିବା ଅଭିଯୋଗ ହୋଇଛି।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ୧ କି.ମି. ୬୫୦ମିଟର ପିଚୁ ଏବଂ ୯୦୦ମିଟର କଂକ୍ରିଟ୍‌ ରାସ୍ତା ତିଆରି କରାଯାଇଛି। ରାସ୍ତା ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍‌ ତିଆରି ହୋଇ ନ ଥିବାରୁ ୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରାସ୍ତା ଏବେ ଶୋଚନୀୟ ହୋଇପଡୁଛି। ବର୍ଷାଦିନେ ପାଣି ଜମା ହୋଇ ରାସ୍ତାରେ ଏପରି କୃତ୍ରିମ ନଦୀ ସୃଷ୍ଟି ହୋଇଛି। ଚୁକ୍ତିପତ୍ରରେ ଠିକାଦାର ସମସ୍ତ ରକ୍ଷଣାବେକ୍ଷଣ ଏବଂ ମରାମତି କରିବାର ସ୍ବାକ୍ଷର କରିଥିଲେ ମଧ୍ୟ ତାହା କରାଯାଉନାହିଁ। ଦେଉଳା ଗ୍ରାମବାସୀଙ୍କର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ରାସ୍ତାରେ ଚାଲି କି ଗଲେ ଅଣ୍ଟାଏ ପାଣିରେ ଯିବାକୁ ପଡୁଛି। ସାଇକେଲ କିମ୍ବା ମୋଟରସାଇକେଲରେ ଗଲେ ମଧ୍ୟ ପାଣିରେ ଓଦା ହୋଇ ଯିବାକୁ ପଡେ। ନଚେତ୍‌ ୧୦କି.ମି. ରାସ୍ତା ବୁଲି ବୁଲି ଯିବାକୁ ପଡୁଛି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ରାଜନେତା କେହି ବି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ରାସ୍ତା ମରାମତି ଏବଂ ଡ୍ରେନ୍‌ ନିର୍ମାଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ବାଲିଆପାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୌଭାଗ୍ୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତା ନିର୍ମାଣ ବେଳେ ସ୍ଥାନୀୟ ଲୋକେ ଜାଗା ନ ଛାଡ଼ିବାରୁ ଡ୍ରେନ୍‌ ନର୍ମାଣ ହୋଇନାହଁି। ଫଳରେ ପାଣି ଜମି ରହୁଛି।