ଯୁଦ୍ଧାସ୍ତ୍ର ପରୀକ୍ଷଣ ପାଇଁ ସମୁଦ୍ରରେ ୩ ଦିନିଆ କଟକଣା

ପାରାଦୀପ,୭।୨(ସ୍ବ.ପ୍ର.):ଉପକୂଳବର୍ତ୍ତୀ ଓଡିଶାର ୪ ଜିଲାର ମତ୍ସ୍ୟଜୀବୀଙ୍କ ପାଇଁ ଫେବୃୟାରୀ ୮ରୁ ୧୦ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଛି। ପ୍ରତିରକ୍ଷା ବିଭାଗ ଚାନ୍ଦିପୁର ପକ୍ଷରୁ ଜାରି ବିଜ୍ଞପ୍ତିରୁ ମିଳିଥିବା ସୂଚନା ଅନୁସାରେ, ଏହି ୩ ଦିନ ସମୁଦ୍ରରେ କିଛି ଯୁଦ୍ଧାସ୍ତ୍ର ପରୀକ୍ଷଣ କରାଯିବ। ଏନେଇ ଉକ୍ତ ୩ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୂଳଠାରୁ ୩୦ କି.ମି. ମଧ୍ୟରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର କୌଣସି ମାଛଧରା ବୋଟ୍‌ କିମ୍ବା ଅନ୍ୟ କୌଣସି ପାଣି ଯାନ ସମୁଦ୍ରକୁ ନ ଯିବା ଲାଗି ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ଏହି ସୂଚନା ପାରାଦୀପ ମାଛଧରା ବନ୍ଦର ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚତ୍ବା ପରେ ବୋଟ ମାଲିକଙ୍କୁ ବୋଟ ସମୁଦ୍ରରୁ ଫେରିଇ ଆଣିବାକୁ ପରାମର୍ଶ ଦିଆଯାଇଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା) ସମ୍ପାଦକ ଅରବିନ୍ଦ ସ୍ବାଇଁ କହିଛନ୍ତି।