Categories: ଜାତୀୟ

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍‌, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…

ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ ଜାରି ରଖିଛନ୍ତି। ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଡିଲ୍‌ରୁ ଉପକୃତ ହୋଇଥିବା ରାଜନେତା ଏବଂ ଅଧିକାରୀଙ୍କ ଉପରେ ସିବିଆଇର ତୀକ୍ଷ୍‌ଣ ନଜର ରହିଛି। ଗତ ମାସରେ, ସିବିଆଇ ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶିକାନ୍ତ ଶର୍ମା ଏବଂ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି।

୨୦୧୦ରେ ସେମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ଦୁଇଟି ଚାର୍ଜଶିଟ ପୂର୍ବରୁ ଦାଖଲ କରିସାରିଛି। ଫଳରେ ଗତ ୯ ବର୍ଷ ମଧ୍ୟରେ ମୋଟ ୩ ଟି ଚାର୍ଜଶିଟ୍‌ ଦାଖଲ କରାଯାଇଛି।

ସେପ୍ଟେମ୍ବର ୨୦୧୭ରେ ପ୍ରଥମ ଚାର୍ଜଶିଟରେ ପୂର୍ବତନ ଆଇଏଏଫ ମୁଖ୍ୟ ଏସପି ତ୍ୟାଗୀ, ତାଙ୍କ ଜ୍ୱାଇଁ ଏବଂ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲ ଜେମ୍ସ୍‌ଙ୍କ ନାମ ଉଲ୍ଲେଖ କରାଯାଇଥିଲା।

ସେପ୍ଟେମ୍ବର ୨୦୨୦ର ଦ୍ୱିତୀୟ ଚାର୍ଜଶିଟରେ ମଧ୍ୟସ୍ଥି ରାଜୀବ ସାକସେନା ଏବଂ ଲାଞ୍ଚ କାରବାର କରିଥିବା ଅନ୍ୟାନ୍ୟ କମ୍ପାନୀ ବିରୁଦ୍ଧରେ ତଥ୍ୟ ରହିଥିଲା।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା ୟୁପିଏ ସରକାରଙ୍କ ଦ୍ୱିତୀୟ ପାଳି ସମୟରେ ଘଟିଥିଲା। ଭିଭିଆଇପିଙ୍କ ପାଇଁ ବ୍ୟବହୃତ ହେଲିକପ୍ଟର କ୍ରୟ ସହିତ ଏହା ଜଡିତ। ଏହି ହେଲିକପ୍ଟରଗୁଡିକ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରି ଭିଭିଆଇପିଙ୍କ ଯାତ୍ରା ଲାଗି ବ୍ୟବହାର କରାଯିବା ଉଦ୍ଦେଶ୍ୟରେ କିଣାଯାଇଥିଲା। ୧୨ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣିବା ପାଇଁ ଭାରତ ସରକାର ୩,୬୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଥିଲେ। ଅଭିଯୋଗ ହୋଇଥିଲା ଯେ କମ୍ପାନୀ ସପକ୍ଷରେ ଏହି ଡିଲ ପାଇଁ ରାଜନେତା ତଥା ଅଧିକାରୀଙ୍କ ସମେତ ମଧ୍ୟସ୍ଥିମାନଙ୍କୁ ଲାଞ୍ଚ ପ୍ରଦାନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଅନେକ ନିୟମକୁ ଖଣ୍ଡନ କରି କମ୍ପାନୀର ଡିଲ୍‌ ପାଇବାକୁ ନିଶ୍ଚିତ କରାଯାଇଥିଲା। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସପକ୍ଷରେ ଏହି ଡିଲ୍‌ କରିବାକୁ ଦିଆଯାଇଥିବା ଅର୍ଥ ହେରଫେର୍‌ କାରବାରର ଯାଞ୍ଚ୍‌ ସିବିଆଇ ଦ୍ୱାରା କରାଯାଉଛି।

ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ ଅନୁସନ୍ଧାନକାରୀ ଅଫିସରଙ୍କ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପରେ ଅନୁସନ୍ଧାନ ଜାରି ରଖିଛନ୍ତି। ଏବେ ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି। ତେବେ ଗିରଫ ହେବା ବାକି ରହିଛି। କିଏ କିଏ ଲାଞ୍ଚ ପାଇଛନ୍ତି ତାହା ଜାଣିବା ପାଇଁ ସିବିଆଇକୁ ନଅ ବର୍ଷ କାହିଁକି ଲାଗିଲା ସେ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ପ୍ରଥମ ଦୁଇଟି ଚାର୍ଜଶିଟରେ କମ୍ପାନୀ ମାଧ୍ୟମରେ ଟ୍ରାନ୍ସଫରର ବିବରଣୀ ଦେଇଛନ୍ତି। ବହୁ ଲାଞ୍ଚ ନଗଦ ଆକାରରେ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି, ଯାହା ଯାଞ୍ଚ କରିବାକୁ ସମୟ ଲାଗିବା ସ୍ବାଭାବିକ।

ଅଭିଯୋଗ ହୋଇଛି ଯେ ଦୁଇ ମଧ୍ୟସ୍ଥି – ଖ୍ରୀଷ୍ଟିଆନ ମିସେଲ ଏବଂ ଗାଇଡୋ ହାସାକେଙ୍କ ମାଧ୍ୟମରେ ୬୭ ମିଲିୟନ ୟୁରୋ (୫୫୨ କୋଟି ଟଙ୍କା) ଲାଞ୍ଚ ଦେବାର ଥିଲା। ଉଭୟ ମଧ୍ୟସ୍ଥି ଏବେ ତିହାର ଜେଲରେ ରହିଛନ୍ତି।

Share