ପ୍ରେମୀଯୁଗଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୫।୭(ବ୍ୟୁରୋ):ଚାକିରି ଦେବା ଆଳରେ ଅନ୍‌ଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରେମୀଯୁଗଳଙ୍କ ସମେତ ୩ ଜଣଙ୍କୁ ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧଉଳି ଥାନା ଲିଙ୍ଗିପୁର ଇନ୍ଦିରାଗାନ୍ଧୀ କଲୋନୀରେ ରହୁଥିବା ଗଞ୍ଜାମର ପାଟପୁର ଥାନାଞ୍ଚଳର ମଙ୍ଗୁଳି ସ୍ବାଇଁ(୨୮), ତାଙ୍କ ପ୍ରେମିକା ତଥା ଢେଙ୍କାନାଳର ହିମାଦ୍ରୀ ବେହେରା(୨୩) ଓ କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳର ଉମାକାନ୍ତ ରଣା(୫୧)। ଏନେଇ ପୋଲିସ ଏକ ମାମଲା (ନଂ-୨୩/୨୦୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏପରି ଏକାଧିକ ଲୋକଙ୍କୁ ଠକେଇ କରିଥିବା ଜଣାପଡିବା ପରେ ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମଙ୍ଗୁଳି ଓ ହିମାଦ୍ରୀ ଦୁହେଁ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇ ଧଉଳି ଅଞ୍ଚଳରେ ରହି ଠକେଇ ର଼୍ୟାକେଟ ଚଳାଇଥିଲେ। ଅଭିଯୁକ୍ତ ଉମାକାନ୍ତ ସେମାନଙ୍କୁ ସହଯୋଗ କରିବା ସହ ଠକେଇ ପାଇଁ ଚାକିରି ଆଶାୟୀଙ୍କୁ ଯୋଗାଡ଼ କରୁଥିଲେ। ପାହାଳ ଥାନା ଫୁଲନଖରା ଅଞ୍ଚଳର ସାଗରିକା ଜେନା ଅନଲାଇନ୍‌ରେ ଚାକିରୀ ଖୋଜୁଥିଲେ। ସେ ଫେସ୍‌ବୁକରେ ଏକ ଚାକିରୀ ବିଜ୍ଞାପନ ଦେଖିଥିଲେ। ଏହି ବିଜ୍ଞାପନ ପ୍ରତାପ ପ୍ରଧାନ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ ହୋଇଥିଲା। ତେଣୁ ସାଗରିକା ତାଙ୍କ ସହ ମେସେଞ୍ଜର ଜରିଆରେ ଯୋଗାଯୋଗ କରି ଏକ ମୋବାଇଲ୍‌ ନମ୍ବର ପାଇଥିଲେ। ଉକ୍ତ ମୋବାଇଲ ନମ୍ବର ହିମାଦ୍ରିଙ୍କର ଥିଲା। ସେଥିରେ ସାଗରିକା ଯୋଗାଯୋଗ କରିବା ପରେ ହିମାଦ୍ରୀ ନିଜକୁ ଏକ କମ୍ପାନୀର ଏଚ୍‌ଆର୍‌ ବୋଲି ପରିଚୟ ଦେଇଥିଲେ। ଏହାପରେ ସେ ମଙ୍ଗୁଳିଙ୍କ ସହ କଥା କରାଇଥିଲେ। ପରେ ଏନ୍‌ସିଇଆର୍‌ଟିରେ ପିଅନ ଚାକିରୀ ଦେବାକୁ କହିବାରୁ ସାଗରିକା ରାଜି ହୋଇଥିଲେ। ଏଥିପାଇଁ ହିମାଦ୍ରୀ ତାଙ୍କଠାରୁ ୩୦ହଜାର ଟଙ୍କା ଦାବି କରିଥିଲେ। ଏଥିସହ ଆଉ କିଛି ଚାକିରି ଆଶାୟୀଙ୍କୁ ଯୋଗାଡ଼ କରିବାକୁ କହିବାରୁ ହିମାଦ୍ରୀ କଥାରେ ବିଶ୍ୱାସ କରି ତାଙ୍କ ଭଉଣୀ ପାଇଁ ଏକ ଟେକ୍ନିକାଲ ଚାକିରୀ ଖୋଜିବାକୁ ସାଗରିକା କହିଥିଲେ। ଗୋପାଳପୁର ପୋର୍ଟରେ ଏହି ଚାକିରି ପାଇଁ ୩୦ ହଜାର ଟଙ୍କା ଦେଲେ ହୋଇଯିବ ବୋଲି ହିମାଦ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗୁଳି ଓ ହିମାଦ୍ରୀଙ୍କ କଥାରେ ବିଶ୍ୱାସ କରି ସାଗରିକା ଅଭିଯୁକ୍ତଙ୍କୁ ଗତ ଜୁନ ୯ ଓ ୧୦ ତାରିଖରେ ୬୦ ହଜାର ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଜୁନ ୧୩ରେ ଥାନାରେ ଅଭିଯୋଗ କରିଥିଲେ।