ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ।
ୱାଇଲ୍ଡଲାଇଫ୍‌ ବିଟ୍‌ର ଫରେଷ୍ଟଗାର୍ଡଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ବନାଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ତେଣ୍ଡା (ହୁଡ଼ିସାହି) ନିକଟସ୍ଥ ଏକ ଧାନ କ୍ଷେତରେ ତାରଫାଶ ବିଛାଯାଇଥିବା ଦେଖିବାକୁ ପାଇଥିଲେ। ପରେ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ମାଂସ କାଟିବାର ଶବ୍ଦ ଶୁଣି ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ୩ଜଣ ବ୍ୟକ୍ତି କୌଣସି ଏକ ପ୍ରାଣୀର ମାଂସ କାଟୁଥିବା ଦେଖିବାକୁ ପାଇଥିଲେ। ବନ ବିଭାଗର କର୍ମଚାରୀଙ୍କୁ ଦେଖି ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପାଟ୍ରୋଲିଂ ଟିମ୍‌ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ମାଂସ, ଫାଶ, ପନିକି, କୁରାଢି, ନିକିତି, ଉଘା ଆଦି ଜବତ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର କାର୍ତ୍ତିକ ସିଂ(୩୦), ରବି ସିଂ (୨୯) ଏବଂ ତେଣ୍ଡା ଗ୍ରାମର ଶିବା ସିଂ (୨୮)। ଜବତ ମାଂସର ପ୍ରଜାତି ଓ ଅନ୍ୟାନ୍ୟ ଫରେନସିକ୍‌ ତଥ୍ୟ ଜାଣିବା ପାଇଁ ନୀଳଗିରି ବ୍ଲକ୍‌ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଡକାଯାଇଥିଲା। ନମୁନାଗୁଡ଼ିକୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିର ସେଣ୍ଟର ଅଫ୍‌ ୱାଇଲ୍ଡଲାଇଫ୍‌ ପଠାଇ ଦିଆଯାଇଛି। ଏହାର ଚୂଡ଼ାନ୍ତ ଲାବୋରେଟୋରୀ ରିପୋର୍ଟ ଆସିବା ପରେ ଅଦାଲତରେ ଦାଖଲ କରାଯିବ। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ୨୦୨୬-୨୭ ମସିହାରେ ଓଆର କେସ୍‌ ନଂ. ୧୯କେ ରୁଜୁ କରାଯାଇଛି। ଏହି ଚଢ଼ାଉରେ ଫରେଷ୍ଟର ହୃଷୀକେଶ ପ୍ରଧାନ, ଫରେଷ୍ଟଗାର୍ଡ ଜୟଲକ୍ଷ୍ମୀ ପୁହାଣ, ରାକେଶ କୁମାର ବାରିକ ଏବଂ ସୁଭାଷ ସିଂ ଓ ସଞ୍ଜୟ କୁମାର ମାଝୀ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share