ଡିଏନ୍‌ଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୨୯ ନମୁନା

ଭୁବନେଶ୍ୱର, ୯।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ଏମ୍‌ସକୁ ମୋଟ୍‌ ୧୬୨ଟି ମୃତଦେହ ଅଣାଯାଇଥିବାବେଳେ ୮୦ଟି ମୃତଦେହକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୮୨ଟି ମୃତଦେହ ହସ୍ପିଟାଲରେ ସଂରକ୍ଷିତ ରହିଛି। ଅପରପକ୍ଷେ ସେଥିମଧ୍ୟରୁ କେତୋଟି ମୃତଦେହକୁ ଚିହ୍ନିବା କଷ୍ଟକର ହେଉଥିବାରୁ ଏବଂ ଏକାଧିକ ଦାବିଦାର ଥିବାରୁ ୫୦ଟି ମୃତଦେହ ଏବଂ ସେମାନଙ୍କ ପରିଜନଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି। ୨୯ଟି ସାମ୍ପୁଲ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯାଇଛି। ସେହିପରି ପାରାଦୀପରୁ ଅଣାଯାଇଥିବା କଣ୍ଟେନର ମଧ୍ୟରୁ ୪ଟିରେ ୭୦ଟି ମୃତଦେହକୁ ରଖାଯାଇଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ୱରରୁ ପ୍ରଥମେ ଏମ୍‌ସକୁ ୧୨୩ଟି ମୃତଦେହ ଅଣାଯାଇଥିଲା। ଏହାପରେ ବୁଧବାର କ୍ୟାପିଟାଲ ହସ୍ପିଟାଲ, ସମ୍‌, କିମ୍‌ସ, ହାଇଟେକ୍‌, ଆମ୍ରି ହସ୍ପିଟାଲରେ ଥିବା ଆଉ ୩୯ଟି ମୃତଦେହକୁ ଏମ୍‌ସକୁ ଅଣାଯାଇଥିଲା। ଗୋଟିଏ ସ୍ଥାନରେ ମୃତଦେହ ରହିବା ଦ୍ୱାରା ସେମାନଙ୍କ ପରିଜନଙ୍କ ପାଇଁ ଏହାକୁ ଚିହ୍ନଟ କରିବା ଏବଂ ନିଜ ଘରକୁ ନେବା ସହଜ ହେବ ବୋଲି ଏଭଳି ବ୍ୟବସ୍ଥା କରାଯାଇଛି।