ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ ଆସିଥିବା ଏହି ହାତୀପଲ ପାଟଣା ରେଞ୍ଜର ସାହାରପଡ଼ା ସେକ୍ସନରେ ପଶି କୁଚେଇବେଡ଼ା ଓ ଖଡ଼ିକାପଦା ଗ୍ରାମରେ ୨ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହାତୀପଲ ଘର ଭାଙ୍ଗିବା ସହ ଭିତରେ ରଖାଯାଇଥିବା ଧାନ ଓ ଚାଉଳ ଖାଇବା ସହ ନଷ୍ଟ କରିଦେଇଛନ୍ତି। ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗିଥିଲେ ମଧ୍ୟ ସମସ୍ତେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ବର୍ତ୍ତମାନ ହାତୀପଲ ପୁରୁଣାପାଣି ଜଙ୍ଗଲରେ ଡେରା ପକାଇଥିବାରୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଅନ୍ୟପଟେ ଧାନ ଅମଳ ସମୟରେ ହାତୀପଲ ବିଲରେ ପାଚିଲା ଧାନ ଖାଇବା ସହ ମାଡ଼ି ଦଳି ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି।