ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା

ଢେଙ୍କାନାଳ ଅଫିସ, ୨୨।୭

ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଚିଠି ନଂ.ଏଫ୍‌. ୨୨-୧/୨୦୧୭ ଏସ୍‌ସିରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଅଧ୍ୟକ୍ଷା ଡ. ରଶ୍ମି ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ନାକ୍‌ ଟିମ୍‌ ପକ୍ଷରୁ କଲେଜକୁ ୨୦୨୧ ପର୍ଯ୍ୟନ୍ତ ବି++ ଗ୍ରେଡ୍‌ ମିଳିଛି। ମହାବିଦ୍ୟାଳୟରେ ଇତିହାସ, ବାଣିଜ୍ୟ ଏବଂ ଉଦ୍ଭିଦ ବିଜ୍ଞାନରେ ପିଜି ପାଠ୍ୟକ୍ରମ ରହିଥିବାବେଳେ ରସାୟନ ବିଜ୍ଞାନ, ସଂସ୍କୃତ ଏବଂ ଓଡ଼ିଆରେ ନୂତନ ପିଜି ଶ୍ରେଣୀ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିବା ଅଧ୍ୟକ୍ଷା କହିଛନ୍ତି। କଲେଜର ସ୍ବୟଂଶାସିତ ମାନ୍ୟତା ବଜାୟ ରହିବାକୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଦ୍ୱନ୍ଦ୍ୱରେ ୟୁଜିସିର ଚିଠି ଯବନିକା ପକାଇଥିବାବେଳେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି।
ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ନବୀକରଣ ପାଇଁ ୨୦୧୮ ନଭେମ୍ବରରେ ୟୁଜିସି ପିୟର ଟିମ୍‌ ଭିତ୍ତିଭୂମି ପରିଦର୍ଶନରେ ଆସିଥିଲେ। ତେବେ ଗତବର୍ଷ ଅଗଷ୍ଟରେ ମାନ୍ୟତା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶନାମା ଆସିଥିଲା। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବା ନେଇ ବିଧାୟକ ସୁଧୀର କୁମାର ସାମଲ ଗତ ନଭେମ୍ବର ୫ରେ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଏକ ଜରୁରୀ ବୈଠକରେ ଆଲୋଚନା କରିଥିଲେ। ଏମ୍‌ପି ମହେଶ ସାହୁ ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ କଲେଜର ଦାବିକୁ ସମର୍ଥନ ଜଣାଇ ୟୁଜିସିକୁ ପତ୍ର ଲେଖିଥିଲେ। ଗତ ଜୁଲାଇ ୧୬ରେ ୟୁଜିସି ପକ୍ଷରୁ ମିଳିଥିବା ପତ୍ରରେ ୨୦୨୩ ଯାଏ ଢେଙ୍କାନାଳ କଲେଜ ସ୍ବୟଂଶାସିତ ମାନ୍ୟତା ବଜାୟ ରଖିଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ୧୯୫୯ରେ ପ୍ରତିଷ୍ଠିତ ଢେଙ୍କାନାଳ କଲେଜ ୨୦୦୨ରେ ସ୍ବୟଂଶାସିତ ମାନ୍ୟତା ପାଇଥିଲା। ଏବେ ଏଠାରେ ଯୁକ୍ତ ୩ ଏବଂ ପିଜିରେ ୧୮୦୦ ଛାତ୍ରୀଛାତ୍ର ଅଧ୍ୟୟନରତ। ଏହାକୁ ବାଦ୍‌ଦେଲେ ମ୍ୟାନେଜମେଣ୍ଟ ଏବଂ ସେଲ୍‌ଫ ଫାଇନାନ୍ସ ପାଠ୍ୟକ୍ରମ ମଧ୍ୟ ରହିଛି।