୫୫ ବାତ୍ୟା ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର

ଭୁବନେଶ୍ୱର,୫ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫୫ ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ୨ୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ତଦନୁଯାୟୀ ଚଳିତ ଏପ୍ରିଲର ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି। ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ୨ୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।