ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ ଭାଷାରେ ୪ଟି ପୋଷ୍ଟର ଲାଗିଛି। ଏଥିରେ ଗାଁର ୨୮ଜଣଙ୍କ ନାମ ଲେଖାଯାଇ ସେମାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ୨୮ଜଣ ଧନଶାଳୀ ବ୍ୟକ୍ତି ଅସତ ଉପାୟରେ ଧନ ରୋଜଗାର କରିବା ସହ ଗଞ୍ଜେଇ ଚାଲାଣ ଏବଂ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିପରି ଜଣେ ଯୁବକ ବେଆଇନ କାରବାରରେ ଲିପ୍ତ ଥିବା ଉଲ୍ଲେଖ କରାଯିବା ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଗୁଣପୁର ଥାନା ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ତେବେ ଧଳା କାଗଜରେ ପୋଷ୍ଟରଗୁଡ଼ିକ ଲାଗିଥିବାରୁ ଏଗୁଡ଼ିକୁ କିଏ ଲଗାଇଛି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗୁଣପୁର ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।