ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ ଶେନ୍ଦୁରୁସାନି ଗ୍ରାମ ପଞ୍ଚାୟତରେ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ ଜନ୍ମ ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗ୍ରାମର ମୋଟ ଜନସଂଖ୍ୟା ମାତ୍ର ୧,୫୦୦।
୨୦୨୫ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ଏହି ଅନିୟମିତତା ସାମ୍ନାକୁ ଆସିଥିଲା। ପରେ ଜଣାପଡ଼ିଥିଲା ଯେ, ଏହା ଏକ ବଡ଼ ଧରଣର ସାଇବର ଅପରାଧ ଯେଉଁଥିରେ ସରକାରୀ ପୋର୍ଟାଲକୁ ହ୍ୟାକ୍ କରାଯାଇଛି।
ଗ୍ରାମ ପଞ୍ଚାୟତର ‘ସିଭିଲ୍ ରେଜିଷ୍ଟ୍ରେସନ ସିଷ୍ଟମ’ର ଲଗ୍-ଇନ୍ ଆଇଡି (ID) କୁ ଅପବ୍ୟବହାର କରାଯାଇ ମୁମ୍ବାଇରୁ ଏହି ପଞ୍ଜିକରଣ କରାଯାଇଛି। ଭାଜପା ନେତା କିରିଟ ସୋମାୟାଙ୍କ ଅନୁଯାୟୀ, ପଞ୍ଜିକୃତ ହୋଇଥିବା ନାମଗୁଡ଼ିକ ମଧ୍ୟରୁ ୯୯% ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ନାମରେ ରହିଛି। ଘଟଣା ସାମ୍ନାକୁ ଆସିବା ପରେ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦାର ପାଟକୀ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି।
ଏତେ ବଡ଼ ସଂଖ୍ୟାରେ ନକଲି ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରିବା ପଛରେ କୌଣସି ବଡ଼ ଧରଣର ପରିଚୟ ପ୍ରମାଣ ଜାଲିଆତି କିମ୍ବା ସରକାରୀ ଯୋଜନାର ଅନୁଚିତ ଲାଭ ଉଠାଇବା ପାଇଁ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି।
ଏହି ଘଟଣା ପରେ ୟବତମାଲ ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଭେଟି ସମସ୍ତ ନକଲି ପ୍ରମାଣପତ୍ର ରଦ୍ଦ କରିବାକୁ ଦାବି କରାଯାଇଛି।


